ଏମିତି ଏକ ବିବାହ
ଏମିତି ଏକ ବିବାହ
ବିବାହର ସବୁ ପରମ୍ପରା ଭୁଲି
ମନର ମିଳନ ହେଲା ବୋଲି
ନିଃସଙ୍ଗ ପଥରେ ଦୁହେଁ ଦୁହିଁଙ୍କୁ
ଆପଣେଇ ନେଇ ଗଲେ ଚାଲି ।
କଟକଣା ସବୁ ପଛେ ରହିଗଲା
ରହି ଗଲା ସବୁ ରୀତିନୀତି
ପ୍ରେମର ପୁଲକ ଖେଳିଲା ଜୀବନେ
ପୁନେଇଁ ଲାଗିଲା ପ୍ରତି ରାତି ।
ନବବଧୂ ଓଠେ ଲାଜ ମିଶା ହସ
ନେଲାତ ସବୁରି ମନ ଜିଣି
ପ୍ରତିଟି ମୂହୁର୍ତ୍ତ ଖୁସିର ସମ୍ଭାର
ଆଣି ଥିଲା ସତେ ଅବା କିଣି ।
ଭାବର ବନ୍ଧନ ବଡ଼ ମନେ ହେଲା
ବାକି ଯାହା ଥିଲା ପଛ କଥା
ଜାତି ଧର୍ମ ଆଉ ପରମ୍ପରା ଏବେ
ଦେଉ ବି ନଥିଲା ମନେ ବ୍ୟଥା ।
ସ୍ମୃତି ବିଜଡ଼ିତ ମଧୁର ମୂହୁର୍ତ୍ତ
ମନର ଆକାଶେ ଇନ୍ଦ୍ରଧନୁ
ଆନ୍ଦୋଳିତ କରେ ନୂଆ ଜୀବନକୁ
ଭୁଲି କେ ପାରିଛି ଏଇ ମନୁ ।

