ଏଇ ମୋ ଦେଶର ଗଙ୍ଗାଯମୁନାତ୍ରିରଙ୍ଗା
ଏଇ ମୋ ଦେଶର ଗଙ୍ଗାଯମୁନାତ୍ରିରଙ୍ଗା
ଅଛି ଚିରସ୍ରୋତା ନଦୀ ଯମୁନା ଓ ଗଙ୍ଗା
ସ୍ବାଧିନ ଭାରତ ଦେଶେ ଉଡୁଛି ତ୍ରିରଙ୍ଗା
ରାଷ୍ଟ୍ରୀୟ ଧ୍ଵଜା ତ୍ରିରଙ୍ଗା ଉଡେ ଫର ଫର
ସ୍ୱାକ୍ଷର ବହନ କରୁଛି ବଳିଦାନର
ପରାଧିନତାରୁ ମୁକ୍ତ ହୋଇଛି ଭାରତ
ଗଣତନ୍ତ୍ର ରାଷ୍ଟ୍ର ଭାବେ ହୋଇଛି ଘୋଷିତ
ସ୍ବାଧିନତା,ସ୍ୱତନ୍ତ୍ରତା ଦିବସ ପାଳନ
ପ୍ରତି ପୁର ପଲ୍ଲୀରେ ହେଉଛି ଆୟୋଜନ
ବିଧିବଦ୍ଧ ଭାବେ ପାଳନ୍ତି ଶିକ୍ଷାନୁଷ୍ଠାନ
ବିଭିନ୍ନ ପ୍ରତିଯୋଗିତା ହୁଏ ଆୟୋଜନ
ରାଷ୍ଟ୍ରୀୟ ଧ୍ଵଜା ତ୍ରିରଙ୍ଗା ହୁଏ ଉତ୍ତୋଳନ
ରାଷ୍ଟ୍ରୀୟ ସଙ୍ଗୀତ ସହିତ ଅଭିବାଦନ
ତ୍ରିରଙ୍ଗା ଆମର ଗର୍ବ, ଆମ ପରିଚୟ
ଦେଶ ସୁରକ୍ଷାରେ ସୈନ୍ୟ ସର୍ବଦା ସହାୟ
ଭାରତ ମାତା ସୁରକ୍ଷା ପାଇଁ ଚିନ୍ତା ମୁକ୍ତ
ଜଳ ସ୍ଥଳ ଓ ଆକାଶ ବାହିନୀ ପ୍ରସ୍ତୁତ
ଆମ ଦ୍ଵାରା ଆମ ଦେଶ ହେଉଛି ଶାସନ
ଭାରତୀୟ ଭାବେ ଗର୍ବିତ ହେଉଛି ମନ
ଧ୍ଵଜା ଉତ୍ତୋଳନ ସହ ନେତାଙ୍କ ଭାଷଣ
ଦେଶର ବିକାଶ ପୁରାଣ ହୁଏ ଗାୟନ
ଫାଙ୍କା ପ୍ରତିଶୃତି ସହ ସୁଦୀର୍ଘ ଭାଷଣ
ଗର୍ଜନ ରେ କମ୍ପି ଉଠେ ଗଗନ ପବନ
ମୁକ୍ତି ପ୍ରାପ୍ତି ପରେ ପରେ ଏ ଭାରତ ମାତା
ରାମ ରାଜ୍ୟର ଭାବନା ଥିଲା ମନେ ଚିନ୍ତା
କ୍ଷମତା ସହ ଶାସକ ହେଲେ ବଳୀୟାନ
ସ୍ବାର୍ଥପର ଭାବେ କଲେ ଜୀବନଯାପନ
ଫମ୍ପା ପ୍ରତିଶୁତି ସହ କ୍ଷମତା ହାସଲ
ବିକାଶ ଯୋଜନା ଲୁଟି ହେଲେ ମାଲାମାଲ୍
ଗରିବର ନାମ ବିକାଶ ସହିତ ଯୋଡି
ବାଟମାରଣା ହେଉଛି ଯୋଜନା ର ପେଢ଼ୀ
ଯା' ର ଲାଭ ବେଶି,ତାହାର ଖୁସି ଜୀବନ
ଅସହାୟ ଚାହିଁଛି ଆସିବ ଆଚ୍ଛା ଦିନ।
ପରିବେଶ ପୁରାପୁରି ବଦଳି ଯାଇଛି
ଜଙ୍ଗଲ ପାହାଡ ସମତୁଲ ହେଉଅଛି
ଜଙ୍ଗଲ ରୁ ଗଛ ସଫା, ଜୀବ ଜନ୍ତୁ ଲୋପ
ପାହାଡରୁ ପଥର ବୋହି ହୁଏ ବିଲୋପ
କାରଖାନା ବର୍ଜ୍ୟ ବସ୍ତୁ ଜଳ ରେ କ୍ଷେପଣ
ଜଳ ସହ ,ଦୂଷିତ ମାଟି ପାଣି ପବନ
ପବନ ରେ ଧୂଆଁ ଧୂଳି ଉଡେ ଫର ଫର
ଋତୁ ଚକ୍ରରେ ବି ପରିବର୍ତ୍ତନ ର ସ୍ୱର
ଠିକ୍ ସମୟ ରେ ଆଉ ହେଉ ନାହିଁ ବର୍ଷା
ଅଚାନକ ବାଦଲ ଫାଟି ପ୍ରବଳ ବର୍ଷା
ପ୍ରବଳ ବର୍ଷାରେ ବାତ୍ୟା, ପାଣି ଆଉ ପାଣି
ଜୀବନ ହାନି, ହୃଦ ବିଦାରକ କାହାଣୀ
ଯେଉଁଠି ବର୍ଷା ଅଭାବ,ମରୁଡି ସେଇଠି
ପାଣି ପାଇଁ ବିକଳ କେଉଁଠି ନା କେଉଁଠି।
ମଣିଷ କୃତ ବନ୍ୟା ବି ଟିକିଏ ବର୍ଷାରେ
ମୁମ୍ବାଇ ଚେନ୍ନାଇ ଆଉ ଦିଲ୍ଲୀ ସହରରେ
ବର୍ଷା ଜଳର ବଳୟ ସହର ଭିତରେ
ଜଳ ନିଷ୍କାସନ ପଥ ରହୁନି ସେଠାରେ
ବିକାଶ ନାଁ ରେ,ବିକାଶ ଜଳ ବଳୟ ର
ରାଜନୀତି ହେଉଛି ସତେ ଘୋଡ଼ା ବେପାର
ସମାଜରେ କୁସଂସ୍କାର ଏବେ ବି ରହିଛି
ଦେବୀ ପୂଜା ଆଢ଼ୁଆଳେ ପଶୁବଳି ଅଛି
ଧର୍ମ ନାମ ନେଇ ବ୍ୟବସାୟ ଚାଲିଅଛି
ଧାର୍ମିକତା ମୁଖା ପିନ୍ଧି ଭଣ୍ଡ ବାବା ଅଛି
ତନ୍ତ୍ର ମନ୍ତ୍ର ଆଢ଼ୁଆଳେ ଶୋଷଣ ଚାଲିଛି
ଭାଇଚାରା ମନୋଭାବ କ୍ଷୁର୍ଣ୍ଣ ହେଉଅଛି।
ଶିକ୍ଷା ନାମେ ଖୋଲା ମାଳମାଳ ଅନୁଷ୍ଠାନ
ଶିକ୍ଷା ଶେଷ ପରେ ବିତେ ବେକାରୀ ଜୀବନ
ନୈତିକ ଶିକ୍ଷା ଅଭାବ ଶିକ୍ଷା ଅନୁଷ୍ଠାନେ
ଶିକ୍ଷିତ ଯୁବକ ବୁଲୁ ଅଛି ଏଣେତେଣେ
ଜୀବିକା ବିହୁନେ ଜୀବନ ହୁଏ କଦର୍ଯ୍ୟ
ଶିକ୍ଷିତ ଯୁବକ କରେ ଦେଶ-ଦ୍ରୋହି କାର୍ଯ୍ୟ।
ଝିଅ,ବୋହୂ ଅସୁରକ୍ଷିତ ଘରେ,ବାହାରେ
ନାରୀ ନିର୍ଯ୍ୟାତନା ଚିତ୍ର ପ୍ରତି ମୁହୂର୍ତ୍ତରେ
ଲୋଲୁପ ଦୃଷ୍ଟିରେ ମା, ଝିଅ ପୁଣି ଭଉଣୀ
ବଳାକ୍ରାର କଥା ପ୍ରତି ମୁହୂର୍ତ୍ତରେ ପୁଣି
ଦେହ ର ଭୋକ ନିମନ୍ତେ ଅନୈତିକ କାର୍ଯ୍ୟ
ବଞ୍ଚି, ମରିବା ସମାନ, ଜୀବନ କଦର୍ଯ୍ୟ।
ହାତ ଗୁଞ୍ଜା ବିହୁନେ କାମ ଆଦୌ ହେଉନି
ଅସଂଖ୍ୟ ସ୍ଲୋଗାନ ସତ୍ତ୍ଵେ ଦୁର୍ନୀତି ହଟୁନି
ଥିଲାବାଲା ଙ୍କୁ ରେଶନ କାର୍ଡ ମିଳୁ ଅଛି
ଋଣ ଛାଡ ଜମିଦାର-ମାଲିକ ପାଉଛି
ଯୋଜନା ଚାଷୀଙ୍କ ନାମ ନେଇ ହେଉଅଛି
ମହାପାତ୍ର ମାରି ନେଉଛି,ଚାଷୀ ଚାହିଁଛି।
ନ୍ୟାୟ ବିଚାରଣ ଧାରା ବେଦନା ହେଉଛି
ବର୍ଷ ବର୍ଷ ଧରି ପ୍ରକ୍ରିୟା ଚାଲୁ ରହୁଛି
ନ୍ୟାୟ ଆଗରୁ ପିଣ୍ଡ ଥାଇ ପ୍ରାଣ ଉଡୁଛି
ବାହୁବଳୀ ଆଢ଼ୁଆଳେ ସବୁ ହେଉଅଛି
ଦୋଷୀ ନିର୍ଭୟରେ ଖୋଲାରେ ଘୁରି ବୁଲୁଛି
ଅର୍ଥ ଲୋଭେ ଓକିଲ କଳା, ଧଳା କରୁଛି।
ତ୍ରିରଙ୍ଗା ଉଡୁଛି ସରକାରୀ କାର୍ଯ୍ୟାଳୟେ
ତ୍ରିରଙ୍ଗା ଉଡୁଛି ଅଫିସ୍ ଓ ନ୍ୟାୟାଳୟେ
ତ୍ରିରଙ୍ଗା ପତାକା ତଳେ ଶପଥ ଲୁଚିଛି
ଭାରତ ମାତା କେବଳ ଗୁମୁରି କାନ୍ଦୁଛି
ଗଙ୍ଗା ଯମୁନା ତ୍ରିରଙ୍ଗା ସବୁ ଏଠି ଅଛି
କେବଳ ମାନବିକତା ହଜି ଯାଇଅଛି
ଆସ,ତ୍ରିରଙ୍ଗା ତଳେ ହୋଇବା ଏକତ୍ରିତ
ଦେଶ ସୁରକ୍ଷିତ ପାଇଁ କରିବା ଶପଥ
ଆଉ ନ କାନ୍ଦୁ ଭାରତମାତା,ହେଉ ଜୟ
ଏକତ୍ର କହିବା,ଭାରତ ମାତା କି ଜୟ।
