STORYMIRROR

Abhiram Sahoo

Inspirational

3  

Abhiram Sahoo

Inspirational

ଏବେ ଗ୍ରୀଷ୍ମ

ଏବେ ଗ୍ରୀଷ୍ମ

1 min
13.4K



ଗ୍ରୀଷ୍ମ ତ ଏମିତି

ଗରମ ଓ ଗୁଳୁଗୁଳି

ଦହଗଞ୍ଜ ଯଂତ୍ରଣା ଭିତରେ

ପୃଥିବୀକୁ ଜାଳୁଛି ଯେମିତି ।


କୃଷ୍ଣଚୁଡା ଶାଢିର ପଣତ

ଦକ୍ଷିଣା ପବନରେ ଉଡେଇ ଉଡେଇ

ପଳାଶର ଲାଲ୍ ଅଧରରେ

ଗ୍ରୀଷ୍ମ ଏବେ ଆଙ୍କୁଥାନ୍ତା

କାମନାର ଅଜସ୍ର ଚୁମ୍ବନ

ରାତ୍ରିର କବରୀରେ ମଲ୍ଲୀ ହେନା

ରଜନୀଗନ୍ଧାର ଗଜରା ଝୁଲେଇ

ଭୁରୁଭୁରୁ ମହକରେ

ରଚୁଥାନ୍ତା ମିଳନ‐ମୈଥୁନ ।


ଆଦିମ ଝଂକାର ସାଥେ

ଆଦ୍ଯ ଆଷାଢଟେ ପାଇଁ

ଭରିଯା'ନ୍ତା ଉଷ୍ମ ଉନ୍ମାଦନା

ମେଘ ମହ୍ଲାର ଆଶାରେ

ବିନ୍ଦୁ ବିନ୍ଦୁ ବର୍ଷାର ମୁଗ୍ଧ ସମ୍ଭାବନା ।


ହେଲେ,ଗ୍ରୀଷ୍ମ ଏବେ ଏତେ ବାଟବଣା

ଶହ ଶହ ବିଷାକ୍ତ ସାପର ଫଁ ଫଁ ଲହ ଲହ ଫଣା

ପାଦତଳେ ଖଇଫୁଟା ତାତି

ଆଉଟା ଲୁହାର ସ୍ରୋତ ଆକାଶରୁ ବର୍ଷୁଛି ଯେମିତି

ନଈ ନାଳ ପୋଖରିରେ ଛଟପଟ ମାଛ

ନିଷ୍ଠୁର ନିଦାଘ ଜାଳେ ଥୁଣ୍ଟା ବରଗଛ

ଚାରିଆଡେ ଡହକ ଲଗାଣ

ଅରଣ୍ଯ ବି ଏବେ ତା'ର ନିଆଁର ନିଶାଣ

ଅଗ୍ନିସ୍ନାନ ଖାଣ୍ଡବ ଦହନ ।


ଗ୍ରୀଷ୍ମ ଏବେ ଧ୍ବଂସର ଧୂର୍ଜଟୀ

ରକ୍ତମୁଖା ଉଦ୍ଧତ ସିଂହର

କୁଟୀଳ ଭ୍ରୂକୁଟୀ ।


ଆଜି,

ଶୋଷର ମାଠିଆ ଆମ ଖଣ୍ଡ ଖଣ୍ଡ ମାଟିର ଖପରା

ସେଇ ଖପରାରେ ଗ୍ରୀଷ୍ମ ମେଲିଛି ତା' ବଣିଜ ପସରା !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational