STORYMIRROR

Ananya Anuska

Abstract

3  

Ananya Anuska

Abstract

ଏ ପଥ ମୋ ସାଥି ହୁଏ

ଏ ପଥ ମୋ ସାଥି ହୁଏ

2 mins
201

ଚାନ୍ଦିନୀ ରାତି ଫୁଲେ ଜହ୍ନ ଛାତି

ଲାଜୁଆ ଓଠେ ସେ ହସେ,

ଶୀତୁଆ ରାତିରେ ପବନର ସୁରେ

ଶୀତଳ ଜୋଛନା ଖସେ।

ଅବିରତ ଝରେ ଧରଣୀ ଉପରେ

ମୁକ୍ତା ସ୍ୱରୂପି କାକର,

ଯାନବାହାନର ତୀବ୍ର କୋଳାହଳେ

ଲୁଚେ ଝିଙ୍କାରିର ସ୍ୱର।

ଥରି ଥରି ମୁହିଁ ଯେବେ ଝିଂ ଝିଂ ଖୋଜି

ଧୂଆଁର ପ୍ରଶ୍ୱାସ ନିଏ,

ଏ ପଥ ମୋ ସାଥି ହୁଏ। (୧)


ଦୁଇ ପାର୍ଶ୍ୱେ ସଜ୍ଜା ନାନା ରଙ୍ଗ ଧ୍ୱଜା

କୃଷ୍ଣଚୂଡ଼ା ଦେହେ ଶୋଭା,

ପୂର୍ଣ୍ଣ ବୃକ୍ଷ ଗଳା ଆଲୋକର ମାଳା

ବଢାଏ ରାତ୍ରିର ଆଭା।

ଏହା ଦେଖି ଚକ୍ଷେ ଆକାଶର ବକ୍ଷେ

ଶୁଭଶଂଙ୍ଖ ବାଜି ଉଠେ,

ନଭେ ଧ୍ରୃବ ତାରା ରୋସଣୀରେ ଭରା

ବରଯାତ୍ରୀ ଘେନି ଆସେ।

ନିତି ଦେଖି ମନ ଖୋଜେ ତା' ନାୟକ

ଶେଷେ ଯେବେ ଥକିଯାଏ,

ଏ ପଥ ମୋ ସାଥି ହୁଏ। (୨)


କିଛି ପଥ ପରେ ବାମ ପାଖେ ଦେଖେ

ସୁନ୍ଦରୀ ନାୟିକା ଟିଏ,

କଳିଙ୍ଗ ଦେଶର ଷ୍ଟାଡିୟମ୍ ସିଏ

କନ୍ୟା ବେଶେ ବସି ଥାଏ।

ଜଗିଥାନ୍ତି ଏଠି ହାତେ ଧରି ଲାଠି

ପୋଲିସ୍ ବନ୍ଧୁ ଗଣ,

ପ୍ରେମପକ୍ଷୀ ଦୁହେଁ ମିଶିବା ଆଶାରେ

ଦେଉଥାନ୍ତି କେତେ ରାଣ।

ବନ ପକ୍ଷୀ ଦୂରେ ଯେବେ ମଧୁ ସୁରେ

ପ୍ରୀତିର ସଙ୍ଗୀତ ଗାଏ,

ଏ ପଥ ମୋ ସାଥି ହୁଏ। (୩)


ମାର୍ଗ ଦୀପ ତହିଁ ରହିଥାନ୍ତି ଚାହିଁ

କରେ ରଶ୍ମି ରେଖା ଘେନି,

ଯୋଡା ଯୋଡା ହୋଇ ସ୍ୱାଗତ କରଇ

ଯୋଡି ହସ୍ତ ଦ୍ୱୟ ବେନି।

ସ୍ୱାଗତରେ ଇନ୍ଦୁ ଚନ୍ଦନର ବିନ୍ଦୁ

ସମ୍ପୂର୍ଣ୍ଣ ଶରୀର ଛୁଏଁ,

ନଭ ଲଲାଟରେ ଶ୍ୱେତ କାଳିମାରେ

ଭ୍ରମଟିଏ ସୃଷ୍ଟି ହୁଏ।

ଘନ ଘନ ପୁଷ୍ପ କରେ ଯେବେ ସ୍ପର୍ଶ

ବୃନ୍ତରୁ ବିଚ୍ଛିନ୍ନ ହୁଏ,

ଏ ପଥ ମୋ ସାଥି ହୁଏ। (୪)


ରୋମାଞ୍ଚିତ ମନ ପ୍ରଫୁଲ୍ଲିତ ତନ

ଏବେ ଛାଡେ ଦୀର୍ଘଶ୍ୱାସ,

ବାସ୍ତବକୁ ଢଳ ନୟନ ଯୁଗଳ

ଦେଖ ମାର୍ଗ ଦୁଇ ପାର୍ଶ୍ଵ।

ପେଟ ପାଇଁ କେହି ଏ ଶୀତକୁ ସହି

ରାତି ସାଥେ ବସେ ମିତ,

ରହି ଉଜାଗର ବାଣିଜ୍ୟ ବେପାର

ଗାଇ ସୁରହୀନ ଗୀତ।

ମାର୍ଗ ପାସେ ଯେବେ ସେହି ନର ସାଥେ

ଆଖି ମୋର ମିଶି ଯାଏ,

ଏ ପଥ ମୋ ସାଥି ହୁଏ। (୫)


ଦିନର ବିଚାର ମତଭେଦ ମୋର

ଢାଳିଦେଇ ତା'ର ଦେହେ,

ଯାଯାବର ପକ୍ଷୀ ଅଶ୍ରୃଭରା ଆଖି

ବିନା ସଙ୍କୋଚରେ କୁହେ।

ମଳୟ ପରସ ଭରୁନି ଉଲ୍ଲାସ

ହୃଦୟର କଥା ବାକି,

ଶୁଣିବକି ତୁମେ ସଖା ସାଜି ମୋର

ପ୍ରତିଟି ଭାବର ସାଖି !

ଯେବେ ପ୍ରତ୍ୟୁତ୍ତରେ ଅଶ୍ରୃପୋଛି କରେ

ଆଲିଙ୍ଗନ କରି ନିଏ,

ଏ ପଥ ମୋ ସାଥି ହୁଏ। (୬)


ଥରୁଥିଲ ତୁମେ ଥରୁଥିଲି ମୁହିଁ

ଥରୁଥିଲେ ଦୁହେଁ ମିଶି,

ତୁମରି ଉପରେ ମସୃଣ ଛାତିରେ

ଚାଲୁଥିଲି ହସି ହସି।

ଟ୍ରାଫିକ୍ ଆଲୋକେ ନାଲି ନୀଳ ରଙ୍ଗେ

ସୁରକ୍ଷା ଚିବୁକ ଧରି,

ଟ୍ରାପିକ୍ ପୋଲିସ ନକରି ସାଲିସ

ସାବଧାନ ଥରି ଥରି।

ଯେବେ ବର୍ଣ୍ଣମୟ ସମସ୍ତ ଉପାୟ

ଭଲେ ମନ୍ଦେ ସରିଯାଏ,

ଏ ପଥ ମୋ ସାଥି ହୁଏ। (୭)


ବାଦଲ ରଜ୍ଜୁରେ ମଗ୍ନ କ୍ରୀଡାରେ

ରୂପସୀ ଚ଼ନ୍ଦ୍ରମା ଦୋଳି,

ମୁଁ ନିତି ଖେଳେ ସହକାର ତଳେ

ପଥ ସାଥେ ଲୁଚକାଳି।

ମୁକ୍ତା ସାଉଁଟେ ଉପଳ ସଯ୍ୟାରୁ

ଓଦା କାକରରେ ଭିଜି,

ମୁହୂର୍ତ୍ତକୁ ବିତି ହାତେ ସଖା ସ୍ମୃତି

ବର୍ତ୍ତମାନେ ଯାଇ ହଜି।

ଯେବେ ଥରି ଥରି ବାଟ ମୋର ସାରି

ଅଗଣାର ଭୂଇଁ ଛୁଏଁ,

ଏ ପଥ ମୋ ସାଥି ହୁଏ। (୮)


ଜାଣିନାହିଁ କେବେ ଚାଲିଯିବି ଯେବେ

ଏ ସହରଠୁ ବହୁଦୂର,

ତୁମପରି ସାଥି କଥା କୁହା ରାତି

ମିଳିବକି ପ୍ରତିଥର ?

ସନ୍ଧାନରେ ମନ ପ୍ରେମର ମିଳନ

ଅବନୀରୁ ବସୁନ୍ଧରା,

ଅନ୍ଧାର ସୌନ୍ଦର୍ଯ୍ୟ ଆଲୋକ ପ୍ରାଚୁର୍ଯ୍ୟ

ଖୋଜିବି ମୁଁ ଜହ୍ନତାରା।

ସବୁଠି ଆକାଶ ଜହ୍ନର ପ୍ରକାଶ

ଯେବେ କେହି ମୋତେ ନ ଛୁଏଁ,

ଏ ପଥ ମୋ ସାଥି ହୁଏ। (୯)


କଥା ମୁଁ ଦେଉଛି ଫେରି ମୁଁ ଆସିବି

ବିଦେଶକୁ ପର କରି,

ତ୍ୟାଗି ନବ ଘର ଦୂର ରାଇଜର

ଗପ ପେଡି ସାଥେ ଧରି।

ସ୍ନେହ ମାଟି ବୋଳି ନେବ ଯେବେ ତୋଳି

ଲୋଟିଯିବି ତୁମ ଦେହେ,

ସ୍ୱପ୍ନ ସତ କରି ସମର୍ପଣ ସାରି

ସ୍ମୃତି ହୋଇ ରହିଯାଏ।

ଶେଷେ ମାର୍ଗ ସାଜେ ମୋ ମାର୍ଗ ଦର୍ଶକ

ଏ ପଥ ମୋ ସାଥି ହୁଏ। (୧୦)


Rate this content
Log in

Similar oriya poem from Abstract