ଦିବ୍ୟ ଦରଶନ
ଦିବ୍ୟ ଦରଶନ
ପ୍ରଭାତେ ଡାକିଲି ପ୍ରଭୁ ଜଗନ୍ନାଥ
ଗୁଣୁଗୁଣୁ ହେଲି କୋଠଭୋଗଖିଆ
ଆଜିର ଦିନଟି ସୁଖେ ବିଡି ଯାଉ
ବାଁ ଆଖି ଖାଲି ମାରୁଛି ଡିଆଁ ।୧
ଘରୁ ବାହାରିଲି କାଳିଆ ସୁମରି
ଚକାଆଖି ପାଦେ ମନକୁ ଧ୍ୟାୟୀ
ସମସ୍ୟା ଜଞ୍ଜାଳ ବିଷମ କଟାଳ
କିନାରା କରିଦେ ସମ୍ଭାଳି ଆଶ୍ରୟୀ ।୨
ଦ୍ୱି- ପହରରେ ରଖ ମହାବାହୁ କହି
ଭୋଜନ ମଣୋହି ଖାଇଲି ସୁଖେ
ପତ୍ନୀ ହାତରନ୍ଧା ଅନ୍ନ ଓ ବ୍ୟଞ୍ଜନ
ଅବଢ଼ା ଭାବିଣ ଚର୍ବିଲି ମୁଖେ ।୩
ସଂଜ ଆଳତୀରେ ଦୀପ ନୈବେଦ୍ୟରେ
ତୁମ ନାମ ଜପୁଥିଲି ମନେ
ନୀଳଶୈଳମଣି ଜଗତ ବିନ୍ଧାଣୀ
କିଂକର ତୁମର ପଙ୍କଜସ୍ଥାନେ ।୪
ଜୀବନ ଜଞ୍ଜାଳ ହସେ ବିକଟାଳ
ଶ୍ରୀଚରଣେ ମୋର ଶେଷ ଆସ୍ଥା
ଅଭାବି ସଂସାର କରେ ହାହାକାର
ଭବ ଭଉଁରୀରେ ଶୀର୍ଣ୍ଣ ଅବସ୍ଥା ।୫
ରଖିଲେ ରଖିବ ମାରିଲେ ମାରିବ
ତୁମରି ସର୍ଜନା କଳା କୌଶଳ
ଶରଣ ଗଲି ମୁଁ ଛନ୍ଦା ଚରଣେ
ତ୍ରାହି କରିଦେବ ଏ ଅଧମ ନିର୍ମୂଳ ।୬
ଶୟନେ ସପନେ ଦିବ୍ୟ ଦରଶନେ
ପଙ୍କିଳ ଜୀବନ ସାର୍ଥକ ହେବ
ସ୍ଵର୍ଗଦ୍ଵାର ଯିବି ଛ'ଖଣ୍ଡ କାଠରେ
ହରିନାମ କର୍ଣ୍ଣ ଶୁଣୁଥିବ । ୭