ନିଶବ୍ଦ ରାତିରେ ନିଦ ଭାଙ୍ଗିଗଲେ
କାଗଜ କଲମ ଖୋଜେ
ଶବ୍ଦ ଫୁଲ ତୋଳି କବିତା ଲେଖିବାକୁ
ନିଜେ ନିଜକୁ ବିରାଜେ
କୋଉଠୁ କେମିତି କୁଆଡୁ ମନେପଡେ
କଲମ ଚାଳନା କାଗଜେ
ସେଦିନ ମୋ ନାତି କବିତା ଚିରି
କାଗଜ ଡ଼ଙ୍ଗା କରି ଭିଜେ
ଏତେ ସରି ହେଲା କବିତା ମୋହରି
ନାତି ପିଠି ନାଲି ଗାର ସାଜେ
ମୋ ପାଇଁ କବିତା ତା ପାଇଁ କାଗଜ ଡ଼ଙ୍ଗା
କାହିଁକି ଆକଟ ପିଠିରେ ବାଜେ
ସେଦିନୁ କବିତା ଲେଖୁନି ଆଉ ମୁଁ
ନିଜ ଭିତରେ ନିଜେ ଭିଜେ
ଆଜି ଯେବେ ନିଦ ଭାଙ୍ଗିଲା ପାହାନ୍ତି
ଉଠି ବସି ଲେଖେ ସଜେ
ରଜ ଗଲାଣି ଗଜ ବି ଗଲାଣି ଦୋଳି
କାହିଁ ନାତି ଖୋଜେ
ପିଲାଟା ତ ନୁଁହଁ ନିଥର କରିବ ତ କିଛି
ତା କଥାରେ ମୁଁ ଭାଜେ
କୋଳକୁ ନେଇ କହିଲି ବାବୁରେ
ଖେଳନା ମୁଁ ତୋର ନିଜେ
ଚାଲ ମୋର ହାତୀ ଚାଲ ମୋର ଘୋଡା
କହି କହି ନାତି ଖେଳୁଥାଏ ନିତି
ମୁଁ ଘୁଞ୍ଚୁଥାଏ ଖୋଜେ ଖୋଜେ
ମୌସୁମୀ ବରଷା ଆସିଲେ ପିଲାଏ ଡ଼ଙ୍ଗା
ଭାଷାଇବା ସାଜେ
ଭାବି ଡ଼ଙ୍ଗା ଗଢି ହାତକୁ ବଢ଼ାଇ ନାତିକୁ
ଯେବେ ଖୋଜେ
ତା ଭିତରେ ସିଏ କେଜାଣି କଣ ଖୋଜେ
ତାକୁ ଦେଖି ମଥା ମୁଣ୍ଡ ହଜେ
ଖେଳିବା ବୟସ ନାତିର ଆସିଛି
ଆକଟ ନକରି ମନ ମାଜେ
କୋଳପରେ ଶୋଇ ଗପ ଗୀତ ଶୁଣୁ ଶୁଣୁ
ଆଖି ପତା ନାତି ମୁଜେ