STORYMIRROR

Kulamani Sarangi

Classics

3  

Kulamani Sarangi

Classics

ଦେବଯାନୀ-୩୬ତମ କଳିକା

ଦେବଯାନୀ-୩୬ତମ କଳିକା

1 min
252


"ଆହେ ରକ୍ଷରାଜନ !*

କେଉଁ ପାପ ଅର୍ଜିଲା ମୋ କନ୍ୟା ରତନ,

କିପାଁ ରାଜସୁତା ହୋଇ କୋପାନ୍ଵିତା #

ଅନ୍ଧକୁପେ ତାକୁ ଦେଲା କଷଣ"।0। 


ପ୍ରାଣସମା କନ୍ୟାର ଦୁଃଖ,

ଦେଖି ଶୁକ୍ର ହୋଇ ବିମୁଖ,

ଜିଜ୍ଞାସିଲେ ଦାନବଙ୍କ ଦରବାରେ 

ଥିଲେ ଯହିଁ ବୃଷପର୍ବା ଆସୀନ।୨।

ଆହେ ରକ୍ଷରାଜନ-------


ଗହ ଗହ କମ୍ପୁଛି ସଭା,

ସିଂହାସନୁ ଶ୍ରୀବୃଷପର୍ବା,

ଓହ୍ଲାଇ ମୁନିଙ୍କ ଘେନି ପଦରଜ

ଦେଇ ଗନ୍ଧ-ପୁଷ୍ପ କଲେ ବନ୍ଦନ।୩।

ଆହେ ରକ୍ଷରାଜନ-------


ଗୁରୁଙ୍କର ଚକ୍ଷୁ ଆରକ୍ତ, 

ପଚାରନ୍ତି ହୋଇ ବିରକ୍ତ,

ଏ'କି ପୁରସ୍କାର ମୋ ଶିକ୍ଷା ଦୀକ୍ଷାର

ଗୁରୁ ଦକ୍ଷିଣାର କି ନିଦର୍ଶନ ?୪।

ଆହେ ରକ୍ଷରାଜନ------


ଦାନବଙ୍କ ପାଇଁ ରାଜନ,

ବିସର୍ଜିଲି ସାରା ଜୀବନ,

ମୃତସଂଜୀବନୀ ପାଇଁ ନ କରିଛି 

ଏଜୀବନେ କେତେ କୃଚ୍ଛ୍ର ସାଧନ ?୫।

ଆହେ ରକ୍ଷ ରାଜନ-----


ଦେବଲୋକ ଆସିଲି ଛାଡି,

ତୁମ୍ଭରାଜ୍ୟେ ରହିଛି ପଡି,

ପୂଜ୍ୟ ପୂଜା କାହିଁ ,ତୁମ୍ଭ ଦାସ କହି

ରାଜକନ୍ୟା ଦେଲା ମନେ କଷଣ।୬।

ଆହେ ରକ୍ଷ ରାଜନ------


ନିବସ୍ତ୍ର କରି ମୋ କନ୍ୟାକୁ,

ଫିଙ୍ଗିଲା ସେ ଅନ୍ଧ କୁପକୁ,

ସଖୀ ଗହଣରେ କେଡେ ନିର୍ଦ୍ଦୟରେ

ଫେରି ଆସିଲା ସେ ରାଜ ଭବନ,।୭।

ଆହେ ରକ୍ଷ ରାଜନ--------


ହୃଦେ ଏତେ ସନ୍ତାପ ବହି,

ନ ପାରିବି ତୋ ରାଜ୍ୟେ ରହି,

ହେ ଦାନବ ରାଜ, ବିଦା ଦିଅ ଆଜ,

ଫେରିଯିବି ମୁହିଁ ସ୍ୱର୍ଗଭୁବନ।୮।

ଆହେ ରକ୍ଷ ରାଜନ----------


ମୁନି ପାଦେ ପଡି ସତ୍ତ୍ୱର

ବୃଷପର୍ବା ହେଲେ ଆତୁର, 

ବୋଇଲେ ହେ ବୁଦ୍ଧ,ମନୁ ତେଜ କ୍ରୋଧ,

ପାଦ ପାଣି ଧରି କରେ ବନ୍ଦନ,

ଆହେ ଭୃଗୁ ନନ୍ଦନ

ମୋର ଦୋଷ କ୍ଷମାକର ବିଶ୍ଵ ବନ୍ଦନ।୯।


ତୁମ୍ଭେ ଯେବେ ତେଜିବ ମୋତେ,

ବଂଚିବି ମୁଁ ପ୍ରଭୁ କେମନ୍ତେ ,

ଏ ଦାନବ କୁଳ,ବିନାଶ ସମୂଳ

ହୋଇବ ଏକଥା ଭଲେ ତ ଜାଣ।୧୦।

ଆହେ ଭୃଗୁ ନନ୍ଦନ ------------


କନ୍ୟା ମୋର ଚପଳମତି, 

ନୁହେଁ କି ସେ ତୁମ୍ଭ ସନ୍ତତି ?

କ୍ଷମାକର ବାରେ ବିଶାଳ ହୃଦରେ,

ରଖ ପ୍ରଭୁ ବୃଷପର୍ବାର ମାନ।୧୧।

ଆହେ ଭୃଗୁ ନନ୍ଦନ --------


ଆଶ୍ରମକୁ ଯାଇ ମୋ ଜେମା,

ସଖୀକୁ ତା ମାଗିବ କ୍ଷମା,

ହସ୍ତ ପଦ ଧରି ଅନୁନୟ କରି,

ଜିଣିବ ସେ ଦେବଯାନୀର ମନ।୧୨।

ଆହେ ଭୃଗୁ ନନ୍ଦନ------------


ରାଜଜେମା ଆସି ସେ କାଳେ,

ମୁଖ ପୋତି ଉଭା ହୋଇଲେ,

ଅନୁତାପାନଳେ ଜେମା ହୃଦ ଜଳେ,

"କ୍ଷମା ଦିଅ"କହି କଲେ କ୍ରନ୍ଦନ।

ଆହେ ଭୃଗୁ ନନ୍ଦନ,

ମୋର ଦୋଷ କ୍ଷମାକର ବିଶ୍ଵ ବନ୍ଦନ।୧୩।


ବୋଇଲେ "ମୁଁ ପାପିନୀ ଘୋର,

ଅପରାଧୀ ଦେବଯାନୀ ର,

ଯେଉଁ ଦଣ୍ଡେ ହେବ ତା ଦୁଃଖ ଲାଘବ,

ଶୀରୋଧାର୍ଯ୍ୟ ମୋର ହେ ତପୋଧନ।୧୪।

ଆହେ ଭୃଗୁ ନନ୍ଦନ------------


*ରକ୍ଷ:----ରାକ୍ଷସ

#ରାଜସୁତା---ଶର୍ମିଷ୍ଠା


କ୍ରମଶଃ.................


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics