ଦେବୀ
ଦେବୀ
ତୁମେ ଆସ !!
ତୁମେ ଆସ ସେତେବେଳେ
ଯେବେ ହୁଏ ନିର୍ମେଘ ଆକାଶ,
ଯେବେ ଫୁଟେ - ନଈ ତୁଠେ
ବିଲ ପାଟେ - କାଶତଣ୍ଡି ହସ
ତୁମେ ଆସ -
ମହୀଭାରା କରିବ ଉଶ୍ବାସ ।।
ଯେବେ ଭିଜେ କାକରରେ
ଶ୍ୟାମଳ କେଦାର ,
ଯେବେ ଭିଜେ, ଭିଜା ଭିଜା
ସ୍ନିଗ୍ଧ ଜ୍ୟୋତ୍ସ୍ନା ଚାନ୍ଦିନୀ ରାତିର,
ତୁମେ ଆସ ! ଚମକାଇ ଚଉଦିଗ
ଭରି ଦେଇ ଅପୂର୍ବ ଉଲ୍ଲାସ
ମନ ପ୍ରାଣେ ଜଗାଇ ବିଶ୍ବାସ ।।
କାହିଁକି ଆସ ଯେ, ତୁମେ ??
ପ୍ରକମ୍ପିତ କରି ଧରା ବକ୍ଷ !
ଏଠି କିନ୍ତୁ ରକ୍ତ ଲୋଭୀ କାମାନ୍ଧ ମଣିଷ
ନିଃଶ୍ବାସରେ ଉତ୍ତାରନ୍ତି
ଶୋଭନୀୟ ନାରୀ ଅଙ୍ଗ ବସ୍ତ୍ର ;
ନାହିଁ ତାଙ୍କ ଭୟ ଲେଶ ମାତ୍ର
ତୁମକୁ ବି ମାରିବାକୁ -
ସୁତୀକ୍ଷ୍ଣ କଟାକ୍ଷ ।।
ତୁମର ସେ ମହାକାଳୀ ରୁଦ୍ର ରୂପ
ବୋଧହୁଏ ପୁରୁଣା ହେଲାଣି ;
ଗତାନୁଗତିକ ପନ୍ଥା - ପରମ୍ପରା
ଅସ୍ତ୍ର ସବୁ ଘଷରା ହେଲାଣି ।।
ଏବେ ଯଦି ଆସୁଛ; ଆସ
ମନା ନାହିଁ - ଆସ !!
ନୂଆ ହୋଇ ବିଦେହରେ ଆସ,
ନିର୍ଯ୍ୟାତିତା, ଲାଂଛିତା ନାରୀ ଦେହେ
ଖୁନ୍ଦି ଦିଅ ଶକ୍ତି ଓ ବିଶ୍ବାସ ।।
ପାରୁଛ ଯଦି ଛଡାଇ ନିଅ -
ଯେତେ ଅଛି ଅସହାୟ ପଣ ,
ଗଢ ତାକୁ ଆଉ ଥରେ
ବଜ୍ର ଠାରୁ ସଶକ୍ତ କଠିନ ।।
ଭରିଦିଅ ମନେ ତାର ସାମର୍ଥ୍ୟ, ସାହସ
ସେ ନିଜେ ହେଉ ନିଜ ଉଦ୍ଦୀପନା,
ଚେତନାର ନୂତନ ଉନ୍ମେଷ,
ସାଞ୍ଜୁ ହେଉ ନିଜର ବକ୍ଷର
ରକ୍ଷାର କବଚ !
ପାପଭାରା ହୋଇବ ଉଶ୍ବାସ ।
ଭକ୍ତ ଚରଣ ମଲ୍ଲ
28th Sept.2017.