ଡମ ଡମଣୀ(ଭ୍ରମଣ)
ଡମ ଡମଣୀ(ଭ୍ରମଣ)
ମାଆ ଲୋ ଡମଣୀ ଜଗତର ରାଣୀ
ତୋ ପଦେ ମୁଁ ଚିର ଋଣି
ବିପଦେ ଆପଦେ ଭରଷା ହୋଇଛୁ
ଏ ଦୁଖୀ ର ଡାକ ଶୁଣି ।
ଆସିଥିଲି ଥରେ ବଣ ବୁଲିବାକୁ
ତୋ ପୀଠେ ଅଟକି ଗଲି
ତୋତେ ଦେଖି ମାଆ ସବୁ ଅବସାଦ
ନିମିଷକେ ଭୁଲି ଗଲି
ସେହିଦିନୁ ତୋତେ ଭରଷା କରି ମୁଁ
ଦାଉ ଧକ୍କା ଯାଏ ଜିଣି
ତୋ ପଦେ ମୁଁ ଚିର ଋଣି ।
ପ୍ରକୃତି ସତେକି ଶୋଭା ସମ୍ପଦକୁ
ତୋପାଖେ ସଜାଡି ଦେଇ
ଜଗତ ଜନଙ୍କୁ ହାତ ଠାରି ଡାକେ
ତୋ ମହିମା ଗାଇଗାଇ ।
ତୋ ମହିମା ତୋର ଶୋଭା ଶିରି ସଦା
ମନକୁ ରଖେଲୋ ଟାଣି
ତୋ ପଦେ ମୁଁ ଚିର ଋଣି ।
ଚଉଦିଗେ ଘେରା ପାହାଡ ପାଚେରୀ
ମଝିରେ ଝରଣା ଝରେ
ଗମ୍ଭାରା ଭିତରେ ମମତା ମୟୀ ମୋ
ବନ୍ଧା ତୁ ଭକତି ଡୋରେ
ଯେଉଁଠି ଥିଲେବି ତୋ ପାଖକୁ ମାଆ
ମନ ନିଏ ମୋତେ ଟାଣି
ତୋ ପଦେ ମୁଁ ଚିର ଋଣି ।
ପାଣ୍ଡବଙ୍କ ଗୁପ୍ତ ବନବାସ କାଳେ
ହୋଇଥିଲୁ ତାଙ୍କୁ ସାହା
ସେହିଦିନୁ ମାଆ ବାଟ ଭୁଲେ ଯିଏ
ଦେଖାଇଛୁ ତାଙ୍କୁ ରାହା
ମନଦେଇ ଯିଏ କରେ ତୋତେ ଧ୍ୟାନ
ଫଳ ଦେଉ ମନ ଜାଣି
ତୋ ପଦେ ମୁଁ ଚିର ଋଣି ।
ଜଙ୍ଗଲ ରେ ମାଆ ବିରାଜିତ ହୋଇ
ବୁଝୁତୁ ଜଗତ କଥା
ମୋ ଆଖିରେ ନାଚେ ତୋ ରୂପ ମାଆ ଲୋ
ନଇଁ ଗଲେ ଆଖି ପତା
ମନ ପୂରିଯାଏ ତୋ ପୀଠରେ ମାଆ
ପାଇ ତୋ ପାଦୁକ ପାଣି
ତୋ ପଦେ ମୁଁ ଚିର ଋଣି ।
ତୋ ଦୟାରୁ ମାଆ ସବୁ ବିପଦକୁ
ସହଜେ ହୋଇଛି ପାର
ଏମିତି ମାଆ ତୁ ଦୟା ରଖିଥିବୁ
ଅଧମ ସନ୍ତାନେ ତୋର
ଜୀଇଥିବା ଯାଏ ସବୁବେଳେ ତୋର
ନାମ ହେଉଥିବି ଗୁଣି
ତୋ ପଦେ ମୁଁ ଚିର ଋଣି ।
