ଚନ୍ଦ୍ରମା ଲୁଚନା
ଚନ୍ଦ୍ରମା ଲୁଚନା
ଚନ୍ଦ୍ରମା ଲୁଚନା ମେଘ ଉହାଡରେ
ଢାଳିଦିଅ ତୁମ ସ୍ନିଗ୍ଧ ଜୋଛନା
ମନୋଇ ପ୍ରିୟା ମୋ' ଜୋଛନା ପରଶେ
ପ୍ରିୟ ଠାରୁ ଦୂରେ ରହିପାରେନା ।
ଲାଜେଇ ରୂପସୀ କିଶୋର ବୟସୀ
ମନତଳ କଥା କହିପାରେନା
ତୁମ ଆଗମନେ ଖିଆଲି ମନେ ତା'
ଜାଗିଉଠେ ପ୍ରୀତି ମଧୁ ଭାବନା ।
ନୀଳାକାଶ ତଳେ ଗପି ଚାଲିଥାଏ
ସାରା ରାତି ଆମ ଗପ ସରେନା
ଅଭିମାନେ ରୁଷି ପାଖେ ମୋର ବସି
କହିଦିଏ ହୃଦ ତଳ ଯାତନା ।
ଶୁଭ୍ର ଆଲୋକରେ ମୁଖଟି ତାହାର
ଝଲ୍ସୁଥାଏ ସତେ ରୁପା କି ସୁନା
ପ୍ରୀତି ଚୁମ୍ବନଟେ ଆଙ୍କିଦେଲେ ମୁହିଁ
ଖେଳିଯାଏ ହୃଦେ ପ୍ରୀତିର ବନ୍ୟା ।
ତୁମେ ଲୁଚିଗଲେ ସିଏ ନୀରବରେ
ଭିଜୁଥାଏ ନିତି ମୋହରି ବିନା
ସହିପାରେ ନାହିଁ ତା' କୋମଳ ମନ
ପୀରତି ଦହନ ମଧୁର ତୃଷ୍ଣା ।

