ଚନ୍ଦ୍ରକାନ୍ତା
ଚନ୍ଦ୍ରକାନ୍ତା
ନାଲି ରଙ୍ଗର ହାତେ ଲମ୍ବର ଓଢ଼ଣୀ ତାର
ବର୍ଷା ଋତୁର ସାଧବ ବୋହୂ ସିଏ
ତା’ଠି ସଭିଙ୍କ ନଜର ,
ଶୀତ ସକାଳର କାକର ଟୋପାରେ
ତିଆରି ତା’ ମନ
ମୁଠେ ପଖାଳ,ଖଣ୍ଡେ ଶାଢୀ,ଦି ପଟ ଚୁଡିରେ
ଗଦ୍ ଗଦ୍ ତା ପ୍ରାଣ ।
ଗୋବର ପାଣିରେ ଅପବିତ୍ରକୁ ପବିତ୍ର
କରିବାର କୌଶଳ ହଉ ଅବା
ଯମଠୁ ବି ଜୀବନ ମାଗିବାର ଚାତୁରିତା
ସବୁ ତାକୁ ଜଣା ,
ମୁଣ୍ଡ ଓଢ଼ଣା ଅଣ୍ଟା ରେ ଖୁସି ଦେଇ
ସଂସାର ବୋଝ ବୋହିନବା ର କାଇଦାରେ
ସେ ସିଦ୍ଧହସ୍ତା ।
ସେ,
ହସିଦେଲେ କଡ ଲେଉଟାଏ ରାତି,
ଚାହିଁଲେ ସକାଳ ଆଖି ମଳି ମଳି ଉଠେ
ଚାଲିଲେ ନଦୀ ଗାଏ ବସନ୍ତର ଗୀତ ;
ଢେଉ ଖେଳେ ସାଗରରେ
ଚାଲୁ ଚାଲୁ ରହିଗଲେ ମାଡି ଆସେ
ଅଣଞ୍ଚାଶ ପବନ
କାନ୍ଦିଲେ ଚନ୍ଦ୍ରିତା ହୁଏ ଆକାଶ,<
/p>
ମନ ମାରିଲେ ଅଲଣା ଲାଗେ କଞ୍ଚା
ଜୀବନର ଘାଣ୍ଟ ତିଅଣ ।
ଲତା ଟିଏ କେତେବେଳେ ବନିତା ସାଜେ
ତ କେତେବେଳେ ପ୍ରବଞ୍ଚିତା
ହେଲେ , ମେହେନ୍ଦୀ ମଖା ହାତରେ
କରିଥିବା ପ୍ରତିଜ୍ଞା ପାଇଁ
ଦିନ ତମାମ୍ ଧାଇଁ ଧାଇଁ ଧନ୍ଧି ହୁଏ ;
ସଜାଡୁ ଥାଏ ଯେତେ ସବୁ ଅଡୁଆ ସୁତା,
ସଂଧ୍ୟା ଧୂପରେ ବାସ୍ନାୟିତ କରେ
ଘର-ଅଗଣା,ଦିଅଁ-ଦେବତା
ଆଉ ଯୁବତୀ ରାତିର ଅଣ୍ଟାରେ
ବାନ୍ଧିଦିଏ ଚନ୍ଦ୍ରିମାର ଫିତା ।
ସଂସାର ଜଞ୍ଜାଳ ବିଷ ପିଏ ପଛେ
ସରେନି ବାଣୀରୁ ଅମୃତର ଝର ,
ସେଇଥି ପାଇଁ ତ ସେ ସୁଧାଶାଳୀ
ପୁଣି ନୀଳକଣ୍ଠୀ
ଆଉ କାହା ପାଇଁ ନୀଳକନ୍ୟା
କାହା ପାଇଁ ବୀରାଙ୍ଗନା ,କାହା ପାଇଁ ସତୀ
କାହାର ମାତା ତ କାହାର ବନିତା
କିନ୍ତୁ,ମୁଁ କହେ ‘ଚନ୍ଦ୍ରକାନ୍ତା’ ।