STORYMIRROR

Dilip Kumar Tripathy

Inspirational Others

3  

Dilip Kumar Tripathy

Inspirational Others

ଆ-କା-ମା-ବୈ

ଆ-କା-ମା-ବୈ

1 min
430


ହେ ରାଶି ରାଶି ଶୁଭ୍ରତାର ମାଲିକ୍

ହେ ସବୁ ପାପ-ପୁଣ୍ୟକୁ କ୍ଷଣକେ ବାଷ୍ପୀଭୂତ

କରିପାରୁଥିବା ସର୍ବ ଶକ୍ତିମାନ

ତୁମ ପରା-ଅପରା ଶକ୍ତିର ଦିବ୍ୟତା,ମଧୁରିତା

ଅବା କେତେ ଶକ୍ତିଶାଳୀ ସେ ଦୁହେଁ,

ମୋତେ ଜଣା ନାହିଁ ।


ଜଣା ନାହିଁ ବୋଲି ସବୁଥର ଧରାପଡ଼େ ତୁମ ଆଖିରେ

ତଳକୁ ମୁଣ୍ଡପୋତି ଠିଆ ହେବାରେ ଏତେ ଅଭ୍ୟସ୍ତ ଯେ

ଲାଜ ନାହିଁ ମୋ ମୁହଁରେ,

ମୋ ଅଦମ୍ୟ ଇଚ୍ଛା ମାନଙ୍କର ମୋହ ଏତେ ପ୍ରବଳ ଯେ

ଗୋଟେ ପାପର ଋଣ ଶୁଝିଲା ପରେ

ମୁଁ ଆଉ ଗୋଟେ କରେ ।


ପୁଣ୍ୟ ଟିକେ ବାସି ହେଲେ ମୁଁ ସାଉଁଟେ ଆଉ ଗୋଟେ ପାପ

ରାତି ଟିକେ ବେଶି ହେଲେ ମୁଁ ନିଏ ଆଉ ଗୋଟେ ରୂପ


ମଳ ମାସର ଗୁହ,ମୁତରେ ଗୋଳେଇ ହୋଇ

ବିଷ୍ଠା କୃମି ହେଲେବି

ପୁଣ୍ୟ ମାସର ଉପବାସ ମୋତେ କରେ ଦେବତୁଲ୍ୟ

ମୋ ଦେହରୁ ପାପ ଝାଡିବାକୁ

ଆସି ଧାଡି ବାନ୍ଧି ଠିଆ ହେଇଯାଆନ୍ତି

ମୋ ଦୁଆର ପାଖେ : ପାରାୟଣ ର ଧର୍ମ,ଗଙ୍ଗା,ତୁଳସୀ ଆଉ ନିର୍ମାଲ୍ୟ ।


ହେ ଦତ୍ତାତ୍ରେୟ ତ୍ରାଣ କର ମୋ ଉଦ୍ଧତ ପଣକୁ

ରକ୍ଷା କର ପ୍ରତିଟି ଦୁର୍ବାଚ୍ୟାକୁ

ବହନ କର ମୋର ଯୋଗ-କ୍ଷେମ

ସବୁ ତୁମେ କର

କିନ୍ତୁ କର ମୋତେ ମାଧ୍ୟମ ।


ନା’ , ଆଉ ବିଷ୍ଠା କୃମି ନୁହଁ

ହୁଅ ସାରଥୀ, ଧର ପଂଚଡୋର

କର ମୋତେ ଦୁର୍ଲଭ ସାଧବ ପୋକ ଟିଏ

ହେଉ ପଛେ ମୋ ଜୀବନ ଗୋଟିଏ ଋତୁ ପାଇଁ

ହେଲେ , ଆଦର ତ ହେଉ ,

ମହକ ତ’ ଥାଉ !

ନହେଉ ମୋ ଶ୍ବାସରୁଦ୍ଧ

ନିଏ ତ’ ଟିକେ ଜୀବନର ସ୍ବାଦ

ଦୂର ହେଉ ଅଯଥା ପ୍ରମାଦ

ଆଉ କିଛି ହେଉ କି ନହେଉ

ହେ ମହାବାହୁ, ଆତ୍ମା ମୋର ଶାନ୍ତି ତ’ ପାଉ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational