ଜୀବନଟା ବୋଧେ ଏମିତି !
ଜୀବନଟା ବୋଧେ ଏମିତି !
ନିଇତି ସକାଳ ହବ,
ସଞ୍ଜ ହବ ,
ଫେର୍ ଚଉରା ମୂଳ ଖାଲି ପଡିବ …
କାନ୍ଦୁରା କାନ୍ଦୁରା ଆକାଶଟା
ସେଇମିତି ଚାହିଁ ରହିବ
ଖୁବ୍ ବେଶି ହେଲେ
ବର୍ଷି ଯିବ ଘଡିଏ ।
ଫି ଦିନ କେହି ଜଣେ
ଏକଲା ଦେଖି କାନ୍ଦିବ
ଏବେଳେ ଆଉ କା ହାତରୁ ଖସି ପଡିବ
ଖାଉ ଖାଉ ଭାତ ।
ପାଖ ଲୋକଟି ବେଳେ ବେଳେ
ଲାଗିବ ଅଚିହ୍ନା, ଅଜଣା
ଆଉ କେହି ଦୂରେ ଥାଇ
ଦେଉଥିବ ପାଖେଇବାର ସୂଚନା ।
ଫେର୍ ଇଚ୍ଛା ହବ
ହଜେଇ ଦିଅନ୍ତିକି, ଫେର୍ ମୋ ଠିକଣା ।
ବାକିରେ ପୁଣି କିଣା ହବ
ଡାଲା ଭର୍ତ୍ତି ସୁଖ,
ଯିଏ ଯାହା ଭାବୁ ପଛେ
ଜିଇଁବାକୁ ଇଚ୍ଛା ହବ
ସେଇ ଗୋଟିଏ ଦିନକୁ ଅପେକ୍ଷା କରି ।
ବାକି ଦିନଗୁଡା ଖାଲି ଯାହା
ଛକି ପଡିବ କ୍ୟାଲେଣ୍ଡରରେ !
ତମେ ଆସିବ ଆସିବ ବୋଲି
ଯେତେ କହିଲେ ବି
ମୋର ବିଶ୍ୱାସ ଆସୁନଥିବ
ହେଲେ , ଇଚ୍ଛା ହବ
ଦେଖିବାକୁ ରାସ୍ତା ଆଡେ
ଝର୍କା ଫାଙ୍କରୁ ।
କେବେ ତମେ କିଛି ନଥାଇ ବି
କଉ ଏକ କଥାରେ
ମନ ଖୋଲି ହସି ଦେଉଥିବ
ତ କେବେ କେବେ ମୁଁ ବି
ମୁଚକି ହସରେ ଠକୁଥିବି ସମସ୍ତଙ୍କୁ ।
ହଁ ସତରେ
ଜୀବନଟା ବୋଧେ ଏମିତି !