ଚିନ୍ତ ଚିନ୍ତାମଣି କି
ଚିନ୍ତ ଚିନ୍ତାମଣି କି
ମାନସ ଚକ୍ଷୁ ଦର୍ଶନେ ଚିନ୍ତ ଚିନ୍ତାମଣି କି l
ବଳରାମଭାଈ ସଙ୍ଗେ ସୁଭଦ୍ରା ଭଉଣୀକି ll
ତ୍ରିକୂଟ ମଧ୍ୟରେ ଧ୍ୟାୟି ଦେଖ ଜଗତର ସାଇଁ l
ନୀଳାଚଳ ମଧ୍ୟେ ବସି ପ୍ରସାରିଛି ପାଣିକି ll
ଷାଠିଏପଉଟି ଖାଇ ବସି ମାରୁଥାଏ ହାଇ l
ଭକ୍ତକୁ ସେ ବୋଲୁଅଛି,ଆଉ ଦିଅ ଆଣିକି ll
ପ୍ରଭୁ ଶ୍ରୀକ୍ଷେତ୍ର ମଉଳି ଭକ୍ତଭାବେ କୁତୁହଳି l
ଦାତା ପଣେ ଦାନ ଦିଏ ଭକ୍ତ ମନ ଜାଣିକି ll
କଳାକର କଳା ମୁଖ ଶୁଣନ୍ତି ସକଳ ଦୁଃଖ l
ଭାବଡୋରରେ ବାନ୍ଧିଛି ସର୍ବ ଭକ୍ତଶ୍ରେଣୀକି ll
ନୀଳଚକ୍ରପରେ ଅନା ସଗର୍ବେ ଉଡ଼ୁଛି ବାନା l
ପତିତ ତାରିବା ଅର୍ଥେ ଦୁଃଖୀ ଦୁଃଖ ଗଣିକି ll
ଆତଙ୍କନାଶନ ବାନା ଆରତ ନକଲେ ଘେନା l
ଜଣାଇବା ଯାଇ ଆମେ ସାଗର ଦୁଲଣୀକି ll
ପଦ୍ମାଳୟା ସିନ୍ଧୁଜେମା ଦୋଷଥିଲେ କରକ୍ଷମା l
ବୁଝାଇ କହିବ ଦୁଖୀ ଧନ ନୀଳ ମଣିକି ll
ଆରତରେ ଦୀନ ଭାଳେ ପଡ଼ି ଭଵସିନ୍ଧୁ ଜଳେ l
କରୁଣା ନାବେ ଉଦ୍ଧାରି କୁଳେ ଲଗା ଆଣିକି ll
