ଚିକୁ ର ଜନ୍ମଦିନ
ଚିକୁ ର ଜନ୍ମଦିନ


ଆସୁଛି ଜନ୍ମଦିନ ପାଖେଇ
ଖୁସିରେ ନାଚୁଛି ଚିକୁ,
କେତେ ଦିନ ଆଉ ରହିଲା ବାକି
ପଚାରେ ଖାଲି ମାଆକୁ ।
ଭାବୁଛି ଆଣିବ ଜିନ୍ସ ପ୍ୟାଣ୍ଟ୍
ସାଙ୍ଗକୁ ନାଲି ସାର୍ଟ୍,
ଡାକିବ ସବୁ ସାଙ୍ଗ ସାଥିଙ୍କୁ
ଆସିବ ବଡ଼ କେକ୍ ।
ମାଆଙ୍କୁ କୁହେ ରନ୍ଧିବୁ ତୁହି
ସୁଆଦିଆ ମଣ୍ଡା ପିଠା,
ବାପାଙ୍କୁ କୁହେ ଆଣିବ ତୁମେ
ବଜାରୁ କଣ୍ଢେଇ ମିଠା ।
ଭାଇଙ୍କୁ କୁହେ ଆଣିବ ତୁମେ
ଭଳିକି ଭଳି ବେଲୁନ୍,
ଜନ୍ମଦିନ ଆସୁଛି ପରା
ଚାଲ ଯିବା ଟିକେ ସେଲୁନ୍ ।
ଘରେ ଆମ ଭୋଜି ହେବ
ଆସିବେ ମାମୁଁ ମାଇଁ ,
ଆଣିବେ ପରା ବଡ଼ ଗାଡ଼ିଟେ
ମୋହରି ଖେଳିବା ପାଇଁ ।
ଡାକିବି ମୋର ସାଙ୍ଗମାନଙ୍କୁ
ଆସିବ ସବୁ ତୁମେ,
ଜନ୍ମଦିନ ଉତ୍ସବରେ ମୋ ଯୋଗ ଦେବ
ରହିବନି ବ୍ୟସ୍ତ କେଉଁ କାମେ ।
ନୂଆ ଡ୍ରେସ୍ ପିନ୍ଧି ବୁଲି ଆସିବି
ପାଖ ପଡୋଶୀ ଘରେ,
ପାଦ ଛୁଇଁ ପ୍ରଣାମ କରିବି
ଆଉ କିଛି ଲୋଡା ନାହିଁ ମୋରେ ।
ଭାଇ ନେଇଯିବ ମନ୍ଦିର ମତେ
କରିବି ଜଗା ଦର୍ଶନ,
ମାଆ ମୋର କହିଛି ପରା
ଜଗା ଆଶୀର୍ବାଦ ସର୍ବପ୍ରଥମ ।
ରାତିରେ ଆସିବେ ସାଙ୍ଗ ସବୁ
ଘର ସଜ୍ଜା ହୋଇବ,
କେକ୍ କଟା ପରେ ପରେ
ନାଚ ଗୀତର ଆସର ଜମିବ ।
ସାଙ୍ଗରେ ସବୁ ଆଣିଥିବେ
ଭଳିକି ଭଳି ଉପହାର,
ଭୋଜି ଖାଇ ସଭିଏଁ ଯିବେ
ଖାଲି ହୋଇଯିବ ଘର ।