ଚୀର ସ୍ମରଣୀୟ ସ୍ମୃତି
ଚୀର ସ୍ମରଣୀୟ ସ୍ମୃତି
ମନର ପାଉଁଶ ଗଦା ତଳେ ସ୍ମୃତି
ନିରନ୍ତର ଜଳୁଅଛି
ବିଳପି, ବିଳପି , ଗୁମୁରି ମୋହର
ଧୈର୍ଯ୍ୟବନ୍ଧ ଭାଙ୍ଗୁଅଛି l
ନିରୋଳାରେ ମୋର କାନ ପାଖେ ଆସି
ଚୁପି ଚୁପି କହିଦିଏ
ସବୁବେଳେ ଉଜ୍ଜୀବିତ ରଖିଥିବ
ମୁଁ ତୁମକୁ ଭଲ ପାଏ l
ତୁମର ଅଭାବେ ଜୀବନର ନଈ
ଭୁଲିଯାଏ ଗତିପଥ
ବହୁତ କଷ୍ଟରେ ଦିନ କାଟେ ନେତ୍ରୁ
ଅଶ୍ରୁ ଝରେ ଅବିରତ l
ଯେତେ ବୁଝାଇଲେ ବୁଝେ ନାହିଁ ମନ
ରହିଛି ତୁମ ପାଖରେ
କେମିତି ବଞ୍ଚିବି କହିଦିଅ ମୋତେ
ତୁମ ବିନା ଦୁନିଆଁ ରେ l
ମନ ଆକାଶର ଇନ୍ଦ୍ର ଧନୁରେ ଯେ
ସପ୍ତ ରଙ୍ଗେ ତୁମ ଆଭା
ବିଛୁରିତ ହୋଇ ଢାଙ୍କି ରଖିଆଛ
କରି ଦେଉଅଛି କାବା l
କଳ୍ପନାର ଇନ୍ଦ୍ରଜାଲର ଭିତରେ
ତୁମରି ରୂପ ଦିଶୁଛି
କାୟା ପାଶେ ଛାୟା ପରି ରହିଅଛି
ବିଗତ ଦିନର ସ୍ମୃତି l
ସ୍ମୃତି ତୁମେ ମୋର ଫୁଲେଇ ବସନ୍ତ
କୋଇଲିର କୁହୁ ତାନ
ପତ୍ର ଝଡା ବ୍ରୁକ୍ଷେ ଭରିଦିଅ ପ୍ରାଣ
ମନରେ ଭର କମ୍ପନ l
ନିରୋଳାରେ ବସି ଗଲେ ମୁହିଁ ତୁମେ
କିପରି ପାରୁଛ ଜାଣି
ପାଶେ ଆସିଯାଅ ବିଚଳିତ କର
ଅତୀତର ଗାଥା ଭଣି l
ଗୋଲାପ ଫୁଲର ପାଖୁଡା ମୁହଁ ରେ
ହସି ଆସି ପାଶେ ବସ
ବିଚଳିତ ହୋଇ ଯାଏ ତନୁ ମନ
ପାଇ ତୁମରି ପରଶ l
ମନର ଅକୁହା କଥାକୁ ହୃଦୟ
କାନଭାସରେ ଆଙ୍କି ଦିଅ
ଜାଗ୍ରତ ପ୍ରହରୀ ପରି ମୋର ପାଶେ
ଦିବା ନିଶି ରହିଥାଅ l