ପତ୍ର ସବୁ ରଙ୍ଗ ବଦଳାଇ
ଝଡିଗଲା ପରେ
ପକ୍ଷୀ ମାନେ ଖଣ୍ଡିଉଡ଼ା ଦେଇ
ଉଡ଼ିଗଲା ପରେ
ଥୁଣ୍ଟା ଗଛ ଭାବେ ଏକା ଉଇ
ତାର ସାଥି ସହଚର
ଯାଏ ନାହିଁ କାହିଁ ରହିଥାଏ ପାଶେ
ଏକଦମ ନିଜର ହୋଇ
ରୋଗ ଋଣ କର୍ମ ଓ କାରଣ
ଦ୍ୱାହି ଦେଇ
ଗଛ ସିନା ଭାବେ ଏକା ଆତ୍ମା ଉଇ
ଯେବେ ଘୁଣ ହୋଇ ଝାଡ଼ିପଡ଼େ
ଝୁରୁ ଝୁରୁ ଫୁରୁ ଫୁରୁ ହୋଇ
ସେତେବେଳେ ଭାବେ କି କିଏ
କେତେବେଳେ ମିତ୍ର ଶତୃ ଗଲା ହୋଇ
ଗଛ ଜାଣିପାରେ ନାହିଁ
ଯେତେ ଯିଏ ଛାଡିଗଲେ
ଫେରିଲେ ନାହିଁ
ଉଇ ପାଖେ ପାଖେ ଥିଲା ରହି
ବଞ୍ଚି ବଞ୍ଚାଉଥିଲା ଅଛି ତ ନିଜର କେହି
ଏବେ ତାକୁ ଦୋଷ ଦେଇ
ଲାଭ କିଛି ନାହିଁ
ମଶା ଵି ଗୁଣୁଗୁଣୁ ଗୀତ ଗାଇ
ଜୀବନ ସଂଗୀତ ଗାଇବା ବେଳେ
ମଣିଷ ଏକାନ୍ତ ବେଳେ ଖୁସି ଯାଏ ହୋଇ
କିଏ ଶତୃ କିଏ ମିତ୍ର
କେମିତି ଜାଣିବା ଭାଇ
ଗଛକୁ ନଈକୁ ପକ୍ଷୀକୁ ପଚାରି ପଚାରି
ଥକି ଗଲା ପରେ
ହୃଦୟରୁ ଶୁଭୁଛି ଗୀତ
ମାଗୁଣିଆ ଶଗଡ଼ିରେ ବସି ଗାଏ ଯେମିତି
ରାମ ଲଷ୍ମଣ ଦୁଇ ଭାଇ
କେହି କାହାକୁ ଛାଡ଼ି ରହିପାରନ୍ତି ନାହିଁ
ଭାଇ ସଙ୍ଗେ ଥିଲେ ଭାଇ
ରୋଗ ଋଣ ଶତୃ ଦିନେ ଯିବେନି ପଳେଇ
ସମସ୍ତେ କଣ କେବଳ ସ୍ୱାର୍ଥ ପାଇଁ
ରହିଥାଆନ୍ତି କିଛି ଦିନ ନିଜର ହୋଇ!