ଚେରାପୁଞ୍ଜି ଭ୍ରମଣ
ଚେରାପୁଞ୍ଜି ଭ୍ରମଣ
ମେଘର ରାଇଜ ମେଘ ଆଳୟ
ମେଘାଳୟ ମେଘଦୂତ ଆଶ୍ରୟ l
ହିମାଳୟ ଜେମା ହଇମବତୀ
ହିମ ଶୈଳେ ଯହିଁ କ୍ରିଡ଼ନ୍ତି ନିତି l
ସର୍ପିଳ ପଥରେ ପାହାଡ଼େ ଚଢ଼ି
ଝୁଲି ଝୁଲି ଚାଲେ ମଟର ଗାଡ଼ି l
କାହିଁ ରାଜ ପଥ କାହିଁ ସୁଢ଼ଙ୍ଗ
ପଥ କାଟି ଚାଲେ ଯନ୍ତ୍ରଦାନଵ l
ପାର୍ଶ୍ୱେ ଉଚ୍ଚ ଉଚ୍ଚ ମଥା ଉଠାଇ
ବୃକ୍ଷେ ଡାକୁଛନ୍ତି ବାଟୋଇଭାଇ l
ଉଞ୍ଚା ପରବତେ କୁଞ୍ଚି କୁଞ୍ଚିକା
ଉଚ୍ଚ ମେଘ ଯାଏ ଘୁଞ୍ଚି ଘୁଞ୍ଚିକା l
ଧଳା ମେଘ ଖଣ୍ଡ ଶୈଳ ମୁକୁଟ
କାହିଁ ରାବ ପୁଣି ବନ୍ୟ କୁକ୍କୁଟ l
ମନମଧ୍ୟେ ମୋର କଳ୍ପନା ଯାଗେ
କ୍ଷୀରାବ୍ଧି ଫେନ କି ଶ୍ରୀବିଷ୍ଣୁ ଅଙ୍ଗେ l
ଉଚ୍ଚ ହିମାଳୟେ ଶଇଳ ଶ୍ରେଣୀ
ଝର, ଝର, ଝରେ ଝରଣା ପାଣି l
ନିର୍ଝରିଣୀ ପାତେ ଝଟିକା କଣୁ
ମନୋରମ ଶୋଭା ନ ଯିବ ମନୁ l
ଠାବେ ଠାବେ ପୁଣି ଶକ୍ର କାର୍ମୁକ
ଅଜଗବ ଧନୁ ହର ସାୟକ l
ଘୋର ବଜ୍ରନାଦ ବରଷା ଧାରା
କେବେ ପଡ଼େ ପୁଣି ନରମ ଖରା l
ମେଘ ମାଳା ମଧ୍ୟୁ ମୁହଁଟି କାଢ଼ି
ସବିତା ଦିଅନ୍ତି କିରଣ ଝାଡ଼ି l
ଚେରାପୁଞ୍ଜି ପୁଞ୍ଜ ଶୋଭା ନିକୁଞ୍ଜ
ଶୋଭା ତା ବର୍ଣ୍ଣନେ ସମର୍ଥ ଭଞ୍ଜ l
ଅବା ପଲ୍ଲୀ କବି ନନ୍ଦ କିଶୋର
ଗଙ୍ଗାଧର, ରାଧା ଶବ୍ଦ ସମ୍ଭାର l
ଘୋର ବର୍ଷା ସଞ୍ଜ ଆସିଲା ମାଡ଼ି
ଲେଉଟାଣି ଗଡ଼େ ମଟର ଗାଡ଼ି l
ଧନ୍ୟ ସୃଷ୍ଟି କର୍ତ୍ତା ସୃଷ୍ଟି ତୁମ୍ଭର
ବନ୍ଦନା କରେ ମୁଁ କଞ୍ଜ ପୟର ।
