ଚାଲ ବୁଲି ଯିବା ବଡ଼ଦାଣ୍ଡକୁ
ଚାଲ ବୁଲି ଯିବା ବଡ଼ଦାଣ୍ଡକୁ
ଚାଲ ବୁଲି ଯିବା ବଡ଼ଦାଣ୍ଡକୁ
ପବିତ୍ର କରିବା ଥକା ମନକୁ,
ଦେଖି ଆସିବା ସେ ମହାବାହୁକୁ
ଚଳାଏ ଯିଏ ସାରା ଜଗତକୁ।
ବଡ଼ଦାଣ୍ଡେ ସିଏ କାଳିଆ ରାଜା
ରଥ ଯାତରା ତା' ଆହା କି ମଜା,
ବଡ଼ ଆଡମ୍ବର ସେ ସାଜସଜ୍ଜା
ବାଜେ ଘଣ୍ଟ ଘଣ୍ଟା ପହଣ୍ଡି ବାଜା।
ବଡ଼ଦାଣ୍ଡେ ଅଛି ବଡ଼ ଦେଉଳ
ଶ୍ରୀକ୍ଷେତ୍ର ସେ ସଦା ଚଳ ଚଞ୍ଚଳ,
ଜଗା କାଳିଆ କରୁଥାଏ ଖେଳ
ଦେଖେ ଯିଏ ତାର ହୁଏ ମଙ୍ଗଳ।
ଦୁଃଖ ତ ଅଛି ଏ ଜୀବନ ଯାକ
ଦୁଃଖେ ପ୍ରଭୁ ସାହା ସେ ହିଁ ରକ୍ଷକ,
ଭବ ରଙ୍ଗମଞ୍ଚେ ସିଏ ନାୟକ
ସାରା ସଂସାରର ରଖଇ ଟେକ।
ବଡ଼ଦାଣ୍ଡ ମାଡ଼ି ଦେଉଳେ ପଶି
ଦେଖିଲେ ପ୍ରଭୁକୁ ହୋଇବା ଖୁସି,
ବାଙ୍କ ଚାହାଁଣିରେ ସେ ହସି ହସି
ଆଶିଷ ଦିଅଇ ପଡ଼େ ବରଷି।
ପାଶେ ଯାଇ ତାର କରିବା ଅଳି
ହାରି ଗୁହାରି ସେ ଦେବନି ଟାଳି,
ସେ ଦୟାମୟ ପ୍ରଭୁ ବନମାଳୀ
ଯେତେ ବିପଦୁଁ ରଖିବ ସମ୍ଭାଳି।
ଚାଲ ବୁଲି ଯିବା ବଡ଼ଦାଣ୍ଡକୁ
ଭଜିବା ନିତି କାଳିଆ ନାମକୁ,
ସେ କରୁଣା କରଇ ଯାହାକୁ
ପାରି ହୋଇ ସିନ୍ଧୁ ଆସେ କୂଳକୁ।
