ବ୍ୟତିକ୍ରମ
ବ୍ୟତିକ୍ରମ
ମୋ ସରଳ ଦୁନିଆରେ
ମୁଁ ଥିଲି ନିଷ୍ପାପ, ନିରୀହ
ପ୍ରେମର ସ୍ପର୍ଶ ପାଇଥିଲି
ଯେସନେ ପ୍ରଚଣ୍ଡ ରୌଦ୍ରରେ
ମୌସୁମୀର ଝାସ.
ଆଦର୍ଶ ପୂଜାରିଣୀ ହେଇ
ପୂଜୁଥିଲି, ଜୀବନ୍ତ ସେ ପ୍ରେମ ଦେବତାଙ୍କୁ.
ପରିଚୟ ପାଇଲି, ପ୍ରଶଂସିତ ହେଲି
ଉଲ୍ଲସିତ ହେଲି, ଉମଙ୍କ ହେଇ ଉଠିଲି
କୂଳ ଲଙ୍ଘୁଥିଲି ଉଦଣ୍ଡ ଉର୍ମି ଟିଏ ହେଇ....
ଧୀରେ ବଢୁଥିଲି ଆଗକୁ ଆଗକୁ
ପରିପୂର୍ଣ୍ଣ ହେଇ ଆସୁଥିଲି ଅନ୍ତିମ ସ୍ତରକୁ
ନବ ସମ୍ଭାବନା ନେଇ
ଖୋଜୁଥିଲି ନୂଆ ଏକ ଲକ୍ଷ୍ୟ
ଜୀବନର ଦୋଛକି ରେ
ତୁମେ ଭେଟହେଲ
ଅବାକ୍ ହେଇଗଲି
ସେତେଟା ଶିହରି ନଥିଲି
କି ଭୁଲି ଯାଇ ନଥିଲି ତୁମ
ରୂପ ଲାବଣ୍ୟ ରେ
ହୃଦୟ କ୍ଷତ ହୋଇ ସାରିଥିଲା ବୋଧେ
କିନ୍ତୁ, ମୁଁ ଥିଲି ନିର୍ବୋଧ
ପ୍ରେମରେ ପଢିଥିଲି, ଉଡିଥିଲି
କିନ୍ତୁ, ଗର୍ଭ କୁ ଭେଦି ନଥିଲି
ତୁମେ ବୋଧେ ଶିଖେଇଲ
ପ୍ରେମର ହସ୍ତାକ୍ଷର ଲେଖା
ମୂକ, ବଧିର ହେଇ
କେବଳ ଘୂରି ବୁଲୁଥିଲି
ତୁମ ଗଭୀର ଆଖି କୋରଡର
ଅବାସ୍ତବ ଦୁନିଆରେ
ଗଳ୍ପ ରେ ପଢ଼ିଥିଲି,
ଶୁଣିଥିଲି, ଅନ୍ତରଙ୍ଗ ମୁହୂର୍ତ୍ତର
ଅତୃପ୍ତ ଆତ୍ମାକୁ
ହେଲେ ସେଯାଏ ପହଁଚି ନଥିଲି
ତୁମ ବଳିଷ୍ଠ ଦେହର ଆଗ୍ନେୟରେ
ଦାହ ହେଇଗଲି
ତୁମ ଓଠର ମହୁ ଭାଣ୍ଡରେ
ଜୁଡୁବୁଡୁ ହେଇ ଘାଣ୍ଟି ଦେଲି ନିଜକୁ
ଅଠାଳିଆ ମିଠା ସବୁ ପି ଗଲି
ଚଳ ଚଳ କରି
କେହି କିଛି ବୁଝିବା ଆଗରୁ
ହେଇ ସାରିଥିଲା ବ୍ୟତିକ୍ରମ
ବିରାଟ ବଡ଼ ବ୍ୟତିକ୍ରମ
ମୋ ଜୀବନ ର ଆରମ୍ଭ ଆଉ
ଶେଷ ବ୍ୟତିକ୍ରମ ।