ଦେଦୀପ୍ଯମାନ ଦୀପଶିଖା
ଦେଦୀପ୍ଯମାନ ଦୀପଶିଖା
ତୁମେ ଥିଲେ
ଥାଆନ୍ତା ଅସରନ୍ତି ଉତ୍ସବ
ଅୟୁତ ନିୟୁତ ଖୁସି ପରବ
ପିଠା ପଣାର ମିଠା ଦରବ
ମଉଜ ମଜଲିସର ସ୍ୱର୍ଣ୍ଣିମ ବୈଭବ ।
ତୁମେ ଥିଲେ
ଘରଟା ପାଲଟି ଯାଇଥାନ୍ତା
ମସ୍ତିର ପାଠଶାଳା
ହସର ପାନ୍ଥଶାଳା
ତୃପ୍ତିର ପାନଶାଳା
ଶାନ୍ତିର ମୁଖଶାଳା ।
ତୁମେ ଥିଲେ
ଅଗଣା- ଦାଣ୍ଡ - ବାଟ ଟା
କୂଅମୂଳ ପୋଖରୀ ତୁଠ ଟା
ଦାଣ୍ଡଘର ଠାକୁର ଘର ଟା
ବାସୁଥାନ୍ତା ମହମହ
ଫୁଲ ପେନ୍ଥାରେ ଟହଟହ
ଶାଗ ପଟାଳିରେ ଗହଗହ
ସଫା ସୁତରାରେ ମୁଁହ ଦିଶୁଥାନ୍ତା କହକହ।
ତୁମେ ଥିଲେ
ଗହଳି ଚହଳି କାକଳି କଳରବ
କେଚେର ମେଚେର ହାସ୍ୟରାବ
ରୋଷେଇ ଘରେ ସୁବର୍ଣ୍ଣ ଚଟୁର
ଚେଁ ଚାଁ ଶବ୍ଦଭେଦୀ ଅନୁଭବ
ନାକଭେଦୀ ପେଟଭେଦି ଭୋକଭାବ ।
ତୁମେ ଥିଲେ
ଓଜନିଆ ଲାଗୁଥିଲା ଘର ବାହାର
ଆତିଥ୍ୟ ମିଳୁଥିଲା ତୁରନ୍ତ ଉପଚାର
ଭାଟ ଭିକାରୀ ଖୋଜୁଥିଲେ ବାରମ୍ଵାର
ମୂଲିଆ ମଜୁରିଙ୍କ ପେଟୁ ଉଠୁଥିଲା ହାକୁଟିଶ୍ଵର ।
ତୁମେ ଆଜି ନାହଁ
ଅଫେରା ରାଜ୍ୟର ପ୍ରଜା
ଶୋକ ତ ଅନେକ ଅକୁହା ଧ୍ୱଜା ।
ଜାଣୁଛି ତୁମେ ଫେରିବିନି ଆଉ
ସୂପ୍ନରେ ତ ଆସିବା ମିଶିବା ହେଉ
ଚିନ୍ତା ଚେତନାରେ ତୁମ ସ୍ଵାକ୍ଷର ଥାଭ
ଅମଳିନ ଦେଦିପ୍ୟମାନ ଦୀପଶିଖା ଭାଉ ।