STORYMIRROR

Trupti Paikaray

Inspirational

4  

Trupti Paikaray

Inspirational

ବର୍ଷାର ଇତିହାସ

ବର୍ଷାର ଇତିହାସ

1 min
29K


କାଲି ବର୍ଷାର ଇତିହାସ ଖୋଲିଲି,

ଜାଣିବାକୁ ସେ ଆସିଛି କେତେଥର,

ଯାଇଛି କେତେଥର?

ଆସିଛି ଯଦି ଖାଲି,

ମେଞ୍ଚାମେଞ୍ଚା ସ୍ମୃତିକୁ ଗଣ୍ଠିଲି କରି,

ଯାଇଛି ଯଦି ଆଖିରେ ଆଖିଏ ଲୁହ ଭରି I


କାଲି ବର୍ଷାର ଇତିହାସ ଖୋଲିଲି,

ଜାଣିବାକୁ ସେ ଲୁହ ଦେଇଛି କେତେ?

ଧୋଇଛି କେତେ,

ଭିଜିଛି କେତେ,

ପୁଣି ଭିଜାଇଛି କେତେ?

ବେହିସାବୀ ବର୍ଷା,

ଖିଆଲୀ ଅଭିମାନିନୀ ବର୍ଷା,

ପ୍ରିୟା ଆଉ ପ୍ରେମର ବର୍ଷା,

ଯେତିକି ସେ ଦେଇଛି,

ଧୋଇ ନେଇଛି ଢେର ବେଶୀ କିଛି I


ବର୍ଷାର ଇତିହାସରେ ଲେଖା,

ପ୍ରେମର ଝାପ୍ସା କିଛି କାହାଣୀ,

କିଏ ସେଠି ରାଜା,

ପୁଣି କିଏ ରାଣୀ,

ଆଉ କେଉଁଠି ସେ ସ୍ମୃତିର ଶ୍ରାବଣୀ,

ବର୍ଷା ଭାରି ଅସ୍ଥିର,

ଚଞ୍ଚଳ ଆଉ ଆନମନା,

ସେଠି ଶବ୍ଦମାନେ ସବୁ ବାରାଙ୍ଗନା,

ଗପସବୁ ଅଧାଗଢା,

ବିରହର ଆକାଶରେ,

ଦୁଃଖର ବାଦଲରେ,

ଭାସମାନ ସ୍ମୃତିସବୁ,

ଭାବର ସିନ୍ଦୁକରେ I


ସେଠି ମିଳନ ବିଛେଦର

ମନାନ୍ତର ଆଉ ମତାନ୍ତର,

ପ୍ରିୟାର ମନ ପରି,

ମେଘୁଆ ଆକାଶକୁ,

ଟୋପା ଟୋପା ଲୁହର ବର୍ଷା,

କିଏ ସେଇ ବର୍ଷା,

କାହାର ସେ ବର୍ଷା?

ହଁ ସେଇ ଟିପିଟିପି ବର୍ଷା,

ଆକାଶର ବର୍ଷା,

ବାଦଲର ବର୍ଷା,

ସାଗରର ବର୍ଷା,

ପ୍ରିୟାର ବି ବର୍ଷା I


ଇତିହାସରେ ଲେଖାନାହିଁ

କିଏ ତାର,

ପୁଣି ସିଏ କାହା ପ୍ରେମିକା?

ସ୍ମୃତିଭରା ଅତୀତର ଦରଦୀ କୋହରେ,

ଇତିହାସ ତାର ଜୁଡୁବୁଡୁ,

ଅଫେରା ଦିନର କାହାଣୀରେ,

ଅକୁହା କଥାର କୋହରେ,

ଅଧାଲେଖା ଚିଠିରେ,

ଶୁଖିଯାଇଥିବା ଗୋଲାପ ପାଖୁଡ଼ାରେ,

ମିଶିନଥିବା ମନରେ,

ଭଙ୍ଗା ହୃଦୟର

ଦଦରା ଶବ୍ଦରେ,

ଇତିହାସ ତାର ଜୁଡୁବୁଡୁ,

ଅସଜଡ଼ା ଅତୀତରେ I


ବେହିସାବୀ ବର୍ଷା,

ଖାଲି ଆସିଛି ଯାଇଛି,

ପୁଣି ଯାଇକି ଆସିଛି,

ଆଉ ସ୍ମୃତିର ପାଉଁଶ ଗଦାକୁ,

ଗୋଡ଼ରେ ଆଡେଇ ନିଆଁ କୁହୁଳେଇ,

ବିରହର ନିଆଁରେ ଜାଳିଛି,

ନିଜେ ବି ଜଳିଛି,

ପୁଣି ତା ଥଣ୍ଡା ଛିଟାରେ,

ସବୁ ଧୋଇଦେଇ ଚାଲିଯାଇଛି I

ଏଇତ ମାତ୍ର ହିସାବ,

ଆସିବା ଯିବା,

ଆଉ ପୁଣି ଯାଇ ଆସିବା

ଭିତରେ ଜଳଜଳ ହେଇ

ଲେଖାହେଇଥିବା

ବର୍ଷାର ବୁକୁ ଫଟା ଇତିହାସ I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational