ବର୍ଷା ଠୁ ଅଧିକ
ବର୍ଷା ଠୁ ଅଧିକ
ଉଫ୍…
ଆଜି ପୁଣି ଥରେ !!
ବର୍ଷାଠୁ ବି ଅଧିକ ତିନ୍ତିଲି,
ତମ ଭିଜା ବାଳର ଛିଟାରେ ।
ଟକମକ୍ ଏ ଛାତି ଭିତରଟା,
ଜୁଡୁବୁଡୁ ଓଦା ସାରା ଦେହଟା,
ଝାପସା ଝାପସା ଦିଶୁଥିଲା
ଭିଜା ପଣତ ଉହାଡୁ
ତମ ବତୁରା ଲାଜୁଟା ।
ନା….
ମୁଁ ଆୟତରେ ରଖି ପାରିଲିନି ।
ତମ ବେକ ଦେଇ ଛାତି ପର୍ଯ୍ୟନ୍ତ,
ବୋହି ଆସୁଥିବା ବୁନ୍ଦାଏ ବର୍ଷାଜଳ
ମୋ ଆଖିରେ ଆସକ୍ତି ଭରିଦେଲା ।
ସତଚେଷ୍ଟା ପରେ ବି ମୁଁ ହାରିଗଲି,
ସୀମା ଲଙ୍ଘିବାକୁ ଜିଦ୍ ଧରିଥିଲା
ମୋ ଅବୁଝା କାମାକ୍ତ ମନଟା ।
ଇସ୍
ଏ ହୃଦୟକୁ ଦିଖଣ୍ଡ କଲା,
ଅଜାଣତରେ ବି
ମୋ ସେତା ପଡିଥିବା ପାପୁଲିକୁ
ତମ ଓଦା ସରସର ଦେହରେ,
ଧିରେକି ଯେବେ ଆଉଁସି ଆଣିଲି ।
ଧେତ୍!
ଏତେ ଧାରୁଆ ଥିଲା
ତମ କଟୀ ର ଭାଙ୍ଗ ଟା ?
ହଁ…
ଯେମିତି ବତୁରା ବିସ୍କୁଟ ଖଣ୍ଡେ
ଚା କପ୍ ରେ ଥପ୍ କିନା ପଡିଲାପରି,
ତମେ ଏକଦମ୍ ଝାଉଁଳି ସାରିଥିଲ
ମୋ କାନ୍ଧରେ ମୁଣ୍ଡ ରଖି,
ତକ୍ଷଣାତ୍ ମୁଁ କୋଳେଇ ନେଲି ।
ଓଃ…
ଏ ଆଲିଙ୍ଗନ
ମତେ କୁଶବିଦ୍ଧ କଲା,
ଯନ୍ତ୍ରଣା ନ ଉପଶମ,
ଠିକ୍ ସେ କହିପାରିବିନି !
ଛାତିରେ ଯେମିତି
ଟପ ଟାପ୍ ଫୋଡି ହେଇଗଲା,
କାକ୍ଟସ୍ ପରି ତମ କଣ୍ଟକିତ ଦେହଟା ।
ହଠାତ୍...
ଉତ୍ତରପଟୁ ଉଠେଇ ଆସୁଥିବା
କଳାହାଣ୍ଡିଆ ମେଘ ସବୁ
ନିଜମଧ୍ୟେ ଧକ୍କା ହେଲେ,
ଆକାଶରେ ବୋଧହୁଏ ନିଆଁ ଲାଗିଗଲା ।
ଆହୁରି ଯୋର୍ ରେ ତମେ ଜାବୁଡ଼ି ଧରିଲ,
ଠିକ୍ ଡରିଗଲାପରି ।
ପାଦଠୁ ଓଠ ପର୍ଯ୍ୟନ୍ତ ଠକଠକ ଥରୁଥିଲ,
ବୋଧହୁଏ ତମକୁ ଲାଗିଲା
ଆକାଶରେ ଯେମିତି ବିଜୁଳି ଚମକିଲା ।
ହଁ ମୁଁ ସ୍ପଷ୍ଟ ବାରିପାରୁଥିଲି
ଘଡଘଡିର ଦୁନ୍ଦୁଭି ଠୁ ଅଧିକ ଦୁଲୁକୁଥିଲା
ତମ ଛାତିର ସ୍ପନ୍ଦନ ଟା ।
ଓଃ…
ନିଜକୁ ସମର୍ପି ସାରିଥିଲ,
ମୋ ହୃଦୟର ହାଜତରେ ।
ଧିରେଧିରେ ଏ ଆଖି ମୁଦି ହେଇଗଲା,
ଦେହସାରା ଯେମିତି ଅଜବ ଶୀହରଣ
ମତେ ଅବସ କରୁଥିଲା,
ମତେ ବିବଶ କରୁଥିଲା ।
ମୁଁ ହୁଏତ ଭେଦି ସାରିଥିଲି,
ପୁଣି ଥରେ ବର୍ଷାଠୁ ବି ଅଧିକ !
ତମ ବତୁରା ଓଠର ଲାଳ ରେ
ତମ ଓଦା ସରସର ଲାଜରେ
ଆଉ ତମ ଭିଜା ବାଳର ଛିଟାରେ ।।

