ବର୍ଷା ଗୋ ତୁମେ ଛୁଇଁଯାଅ
ବର୍ଷା ଗୋ ତୁମେ ଛୁଇଁଯାଅ
ବରଷା ଗୋ ତୁମେ ଛୁଇଁ ଯାଅ ଯେବେ ଶରଧାରେ
ମତୁଆଲା ହୁଏ କଞ୍ଚା ମନ,
ଉତୁରା ଦେହରେ ଭରେ ନୂଆନୂଆ ଆଷାଢ଼ରେ
ତlରୁଣ୍ୟର ନୂଆ ଶିହରଣ ।
ଭିଜାମାଟି ଗନ୍ଧ ବାସେ ବତୁରା ହୃଦୟ ହସେ
ଚଗଲା ମନ ହୁଏ ଅଧୀର,
ସମୀରଣ ଯାଏ କହି ଦେହକୁ ଆଉଁସି ଦେଇ
କିପାଇଁ ମନ ତୋର ବିଭୋର ।
ଆକାଶରେ ଭସାମେଘ ଉଡ଼ିବୁଲେ ଚାରିଦିଗ
ପାଇଛି ସେ ମଉସୁମୀ ଛୁଆଁ,
ବରଷି ଯିବକି ସତେ ଯଉବନ ଭାଙ୍ଗେ ଦେହେ
ବିରହୀତ ମନ ଅମାନିଆ ।
ପରବତ ଶିଖ ଲୁଚେ ବାଦଲ ଓଢଣୀ ଫାଙ୍କେ
ଧୂଆଁଳିଆ ଶାଢ଼ୀ ତାର ଦିଶେ,
ଅରଣ୍ୟର ବୃକ୍ଷରାଜୀ ମଥାକୁ ନୁଆଇଁ ଆଜି
ମୌସୁମୀକୁ ପ୍ରୀତିଭରେ ଭାଷେ ।
ଗ୍ରୀଷମର ଖରା କୋପେ ଶୁଖିଲା ପ୍ରାନ୍ତର ଭୋକେ
ଫଟାଦେହେ ଭରେ କେତେ ଆଶା,
ଶ୍ୟାମଳ ହେବ ସେ ଏବେ କୁଆଁରୀ ହୃଦୟ ସାଜେ
କୋଳେଇବ ଆସିଲେ ବରଷା ।
ମଉସୁମୀ ଦେହେ ପ୍ରୀତି କେତେ ରଙ୍ଗ ମାଖିଅଛି
ଆଶା ଜାଗେ ଯେବେ ଧରା ଛୁଏଁ,
ବରଷାରେ ଭିଜି ଭିଜି ମେଘକୋଳେ ନାଚି ନାଚି
ମିଳନର ମଧୁଗୀତି ଗାଏ ।
ଆକାଶ ଘୋଡ଼ାଏ ଯେବେ ଭରା ମେଘ ବାଦଲରେ ମୟୂର ମନରେ ଖେଳେ ପ୍ରୀତି,
ନାଚେ ସେ ଅଧୀର ହୋଇ ଦେହରେ ଉଷ୍ମତା ଭରି
ଆମନ୍ତ୍ରଣେ ମିଳନର ସାଥି ।
ବରଷା ଭରସା ଦିଏ ଶ୍ରାବଣୀକୁ କହିଦିଏ
ଭିଜାଇବୁ ପ୍ରୀତି ରଙ୍ଗ ଭରି,
ନୂଆ ନୂଆ ମନ ଖୋଜେ ଆପଣାର ସାଥି ସାଥେ
ବଜାଇବ ମିଳନ ମହୁରୀ ।
