ବର୍ଣ୍ଣବୋଧରେ ନୀତିଶିକ୍ଷା
ବର୍ଣ୍ଣବୋଧରେ ନୀତିଶିକ୍ଷା
ଅ ଅଳସୁଆ ହେବ ନାହିଁ ଜୀବନେ
ଆ ଆଦର କରିବେ ତୁମକୁ ଜନେ ।
ଇ ଇହଧାମେ ନିତି ପୂଜି ଶାରଦା
ଈ ଈଶ୍ୱରଙ୍କୁ ଭକ୍ତି କରିବ ସଦା ।
ଉ ଉଠିବ ଶେଯରୁ ଯେତେ ସଅଳ
ଊ ଊଣା ହେବ ନାହିଁ ଆୟୁଷ ଫଳ ।
ଋ ଋଣ ନେବ ନାହିଁ କେବେ ଜୀବନେ
ୠ ୠଷି ମୁନୀ ଲେଖିଛନ୍ତି ପୁରାଣେ ।
ଏ ଏମିତି ଜୀବନଚର୍ଯ୍ୟା ପାଳିଲେ
ଐ ଐଶ୍ୱର୍ଯ୍ୟ ଲଭିବ ନିଶ୍ଚୟ ପିଲେ ।
ଓ ଓଁକାର ଶବଦ ଜପିବ ନିତି
ଔ ଔଷଧ ପ୍ରମାଣେ ଜଗତ ଜିତି।
କ କଥା କହୁଥିବ ମଧୁର ସ୍ୱରେ
ଖ ଖଳ ପ୍ରକୃତିରୁ ରହିବ ଦୂରେ ।
ଗ ଗଗନ ସଦୃଶ ହୁଅ ନିର୍ମଳ
ଘ ଘେନ ରାମ କୃଷ୍ଣ ନାମ ଯୁଗଳ ।
ଙ ଡର ରଖିଥିବ ପାପ କର୍ମକୁ
ଚ ଚଳିବ ତେବେଟି ସ୍ୱର୍ଗ ଧାମକୁ ।
ଛ ଛଳନା ନକଲେ କାହା ସାଥିରେ
ଜ ଜାଗା ମିଳିଯିବ ବୈକୁଣ୍ଠପୁରେ ।
ଝ ଝଗଡ଼ା ଝାମେଲା ନକଲେ କେବେ
ଞ ଜ୍ଞାନୀ ବୋଲି ଜନ ନିଶ୍ଚେ କହିବେ।
ଟ ଟଙ୍କା ଗଣି କାରବାର କରିବ
ଠ ଠକାମି ଗୁଣ ବର୍ଜନ କରିବ ।
ଡ଼ ଡମ୍ବରୁଧର ସେହି ବାବା ଭୋଳା
ଢ଼ ଢାଲ ପିନ୍ଧି କରନ୍ତି ଲୀଳାଖେଳା ।
ଣ ନଇଁଥିଲେ ତାଙ୍କ ପାଦରେ ମଥା
ତ ତହିଁରୁ ହୋଇବ ଜଗତଜିତା ।
ଥ ଥକାମନ ଥରେ ଭଜ ତାହାଙ୍କୁ
ଦ ଦରଶନ କର ମହାଦେବଙ୍କୁ ।
ଧ ଧନ ଅରଜନ ଲୋଭରେ ରହି
ନ ନକହିବ ମିଥ୍ୟା କଥାଟି କେହି ।
ପ ପାପ ଛାଡ଼ି ତୁମେ କର ଧରମ
ଫ ଫାସରେ ନହେଲେ ବାନ୍ଧିବ ଯମ ।
ଵ ବଣ ଜଙ୍ଗଲକୁ କାଟିବ ନାହିଁ
ଭ ଭରପୁର ଚାରା ରୋପିବ ନେଇ।
ମ ମନକୁ ନିଶ୍ଚଳ ରଖିବା ପାଇଁ
ଯ ଯିବ କସରତେ ସକାଳୁ ଧାଇଁ ।
ର ରହିବ ସୁଖରେ ସାରା ଜୀବନ
ଳ ଲୟ ରଖି ଭଜ ହେ ପଞ୍ଚାନନ।
ଵ ବନମାଳୀ ତୋତେ କରିବେ ପାରି
ଶ ଶରଣ ଚରଣେ ରଖିବୁ ହରି।
ଷ ଷଡ଼ରିପୁ ତୋର ସେହି ହରିବେ
ସ ସମର୍ପଣ ହୁଅ ତାଙ୍କରି ପାଦେ ।
ହ ହରି ଭଜୁଥିଲେ ଶୁଣ କୁମର
କ୍ଷ କ୍ଷୟ ହେବ ଦୁଃଖ କ୍ଳେଶ ତୋହର ।
ୟ ଯିବୁ ନାହିଁ ଅବାଟରେ ମନୁଆ
ଲ ଲାଗିବ ନହେଲେ ପାଦରେ ନିଆଁ ।