ବୃକ୍ଷର ଉପକାର
ବୃକ୍ଷର ଉପକାର
ଜିତେନ୍ଦ୍ର ନାଥ ପଟ୍ଟନାୟକ
ଜୀବଙ୍କର ଯିଏ ସଦା ଉପକାରୀ
ସିଏ ତ ଆମରି ବନ୍ଧୁ
ଜଗତର ହିତ ସାଧନା ପାଇଁ ସେ
ଅଟଇ ଦୟାର ସିନ୍ଧୁ l
ସଂସାରକୁ ଯିଏ ଦିଏ ଅମ୍ଳଜାନ
ଅଙ୍ଗାରକାମ୍ଳକୁ ନେଇ
ଜଳବାଯୁ ମଧ୍ୟୁ ଗରମକୁ ତଡ଼େ
ଶୀତଳ ପବନ ଦେଇ l
ଫୁଲ ଫଳ ଛାୟା ଦିଅଇ ସେ ସଦା
ଜୀବଜଗତଙ୍କ ପାଇଁ
ଖାଦ୍ୟ ବସ୍ତ୍ର ଆଦି ଯୋଗାଇ ଦିଏ ସେ
ମନରେ କୁଣ୍ଠା ନ ବହି l
ଯାହାଠାରୁ ଖାଦ୍ୟ ପାଇ ବନ୍ୟପ୍ରାଣୀ
ବନସ୍ତେ କରନ୍ତି ବାସ
ତାକୁ ଯଦି ଆମେ ଅବାଧେ କାଟିବା
ହୋଇବ ସୃଷ୍ଟି ବିନାଶ l
ଆମ ପରିବେଶ ସଦା ହେବ ସୁସ୍ଥ
ରହିବ ଯେବେଟି ବୃକ୍ଷ
ବିଶ୍ଵତାପ ନିଶ୍ଚେ ବଢିବ ଆଗକୁ
ହେଲେ ତାହା ପ୍ରତି ରୁକ୍ଷ l
ବୃକ୍ଷ ଲାଗି ମେଘ ଶୀତଳ ହୋଇଣ
ବରଷା କରଇ ଜଳ
ଜଳଠାରୁ ଆମେ ବିଜୁଳି ପାଇଣ
ଚଲାଉଛୁ ଆମ କଳ l
ରୋଗ ଠାରୁ ଆମେ ପାଇଥାଉ ରକ୍ଷା
ବୃକ୍ଷ ଔଷଧ ପାଇ
ପଶୁ, ପକ୍ଷୀ, କୀଟ ସଭିଏ ବଞ୍ଚନ୍ତି
ବୃକ୍ଷର ସେବାକୁ ନେଇ l
ବୃକ୍ଷ ଠାରୁ କେତେ ପାଉ ଉପକାର
ସମସ୍ତେ ବିଚାର କର
ବୃକ୍ଷ ଲଗାଇଣ ଜଙ୍ଗଲ ଗଢିଲେ
ସୁରକ୍ଷା ହେବ ସଂସାର l
