ସୁଦୂର ସ୍ବିଡେନ ଦେଶରେ ଝିଅ ଶୁଶ୍ରୀର ଜୀବନ କେମିତି କଟୁଥିଲା ଭାବି ଭାବି ଆଗ ଚାଲିଗଲେ ବାପା. ବୁଢ଼ୀମାଆ ଅନେକ ଥର ଦିଲ୍ଲୀରେ ଥିବା ପୁଅକୁ ଅନୁନୟ ବିନୟ କରିଥିଲେ ଥରେ ସ୍ବିଡେନ ଯାଇ ଭଉଣୀକୁ ଦେଖି ଆସିବାକୁ. ପୁଅ କହିଥିଲା ଛୋଟ ପୁଅକୁ ନେଇ ନଅ ନଅ ଟା ଦେଶ ଡେଇଁ ସ୍ବିଡେନ ଯିବା ସମ୍ଭବ ନୁହେଁ ମାଆ କିନ୍ତୁ କିଣିଦେଇଥିଲା ମୋବାଇଲ ମାଆ ପାଇଁ ଓ କହିଥିଲା ଶୁଶ୍ରୀ ସହ କଥା ହୋଇପାରିବୁ. କିଛି ଦିନ କଥା ହେବା ପରେ ବୋଉ ଙ୍କୁ ଆଉ ଫୋନ କରିବା ସମ୍ଭବ ହେଲାନି କି ଝିଅ ଫୋନ କଲେ ସେ ଉଠାଇପାରିଲେନି. ଏମିତିରେ ବୋଉ ଓଡ଼ିଶାରେ ହିଁ ରହୁଥିଲେ ଜଗନ୍ନାଥ ଦେଶରେ. ଝିଅ ପାଇଁ ଏତେ ବ୍ୟସ୍ତ ବିବ୍ରତ ହେଲେ ଚଳିବନି ବୋଉ . କଥାରେ ଅଛି ଦେଲା ନାରୀ ହେଲା ପାରି, ବୋଲି କେବେ କେମିତି ବୁଝେଇବାକୁ ଯାଇ ପୁଅ କହିଦିଏ ତ ମାଆ ହୃଦୟରେ ଆଘାତ ହୁଏ. ଛାତିରେ ଛୁରୀ ବିଦ୍ଧ ହୋଇ ଛାତି କରତି ହୋଇଯାଏ.ମାଆର ଯେତେ ସନ୍ତାନ ହେଲେ ମଧ୍ୟ ସେ ସମସ୍ତଙ୍କୁ ଏକା ପ୍ରକାର ଭଲ ପାଏ. ସମସ୍ତଙ୍କୁ ଥରେ ଦେଖିବାକୁ ଚାହେଁ. ଥରେ ଦେହ ମୁଣ୍ଡରେ ହାତର ସ୍ପର୍ଶରେ ନିଜ ଭଲ ମନ୍ଦ, ସୁଖ ଦୁଃଖ ଭୁଲିଯାଏ.ସୁଦୂର ସ୍ବିଡେନ ଦେଶର ନାଗରିକତା ହାସଲ କଲାପରେ ଶୁଶ୍ରୀ ଆସିପାରେନା ଦୁଇ ଦୁଇଟା ଫ୍ଲାଇଟ ଚଢି ଭୁବନେଶ୍ୱର, ପୁଣି ସେଠାରୁ ପୁରୀ ଆସିବା ସମ୍ଭବ ହୁଏନି ତା ପାଇଁ .ଆଖି ଲୁହ ପଣତ ପିଏ ବୋଉର.
ଏବେ ମାଆ ଆରପାରି ଦୁନିଆଁ କୁ ରାସ୍ତା ଦେଖୁଥିଲେ. ସ୍ୱାମୀ ଯିବାର ଏ ଭିତରେ ସାତ ବର୍ଷ ବିତି ସାରିଥିଲା. ସ୍ୱାମୀ ବଞ୍ଚିଥିଲା ବେଳୁ ନିଜକୁ ନିଜେ କେମିତି ଭଲ ପାଇବାକୁ ହୁଏ ଶିଖାଇ ଦେଇ ଯାଇଛନ୍ତି. ପ୍ରେମର ଅନେକ ସଂଜ୍ଞା ଯଥା ସ୍ନେହ, ସମ୍ମାନ, ଆଦର, ଆକର୍ଷଣ, ଅଭିମାନ, ଅନୁରାଗ, ମମତା ଓ ଭକ୍ତି ଭିତରୁ ସେ ଭକ୍ତି କୁ ବାଛି ପ୍ରେମଭକ୍ତି କରି ଆସୁଛନ୍ତି ଜଗନ୍ନାଥଙ୍କୁ. ପ୍ରେମ କରୁଛନ୍ତି ତାଙ୍କୁ ଆନ୍ତରିକତା ଓ ସ୍ୱାଭିମାନ ଭରା ଆକର୍ଷଣରେ. ସେଇଥି ପାଇଁତ ସ୍ୱାମୀଙ୍କ ମୃତ୍ୟୁର ସାତ ବର୍ଷ ଭିତରେ ପୁଅ ପାଖକୁ ଥରେ ବି ଦିଲ୍ଲୀ ଯାଇନାଁହାନ୍ତି ପୁରୀ ଛାଡି ବରଂ ପୁଅ ଆସେ ମାସକୁ ଥରେ କିନ୍ତୁ ଝିଅ ଶୁଶ୍ରୀ!ତାକୁ ଟିକେ ଦେଖିବାକୁ କି କଣ ଟିକେ ଦେବାକୁ ସାତ ସପନ ତେଣୁ ମନ ଝୁରେ. ଝୁରି ଝୁରି ଦିନ ସରେ ସେଇଦିନ ଯୋଉଦିନ ଦେଶ ହୋଇଥିଲା ସ୍ବାଧୀନ କିନ୍ତୁ ମାର ଆହ୍ୱାନ ଏଡି ନପାରି ସେହିଦିନ ହିଁ ଓଡିଶା ମାଟିର ଜଗନ୍ନାଥ ଦେଶରେ ପାଦ ରଖୁ ରଖୁ ଭୂମିକମ୍ପ ହୋଇଥିଲା ଶୁଶ୍ରୀ ପାଇଁ. ବୋଉ ଆଉ ନାହିଁ ତିନିଗୋଟି ଶବ୍ଦ ତାକୁ ସ୍ଥାଣୁ କରିଦେଇଥିଲା.ସ୍ତବ୍ଧ ତାର ପାଦ.ସବୁ ପରେ ବି ବୋଉ ନଥିବା ଶୁନ୍ୟ ଘରେ ସେ ବିତାଇ ଥିଲା ବୋଉର ଶୁଦ୍ଧି ଘର ସରିବା ଯାଏଁ.
ଶୁଶ୍ରୀ ଆଜି ଫେରିବ. ମନରେ ଅନେକ କୋହ ଓ ଛାତିରେ ଅନେକ ମୋହ ଭିତରେ ଭାଇ ଆଣିଥିବା ପୋଷାକ ପତ୍ର ସେ ନେବାକୁ ଅନିଛୁକ. ଯେତିକି ସମ୍ଭବ ପିନ୍ଧିନେବ କିନ୍ତୁ ଫ୍ଲାଇଟରେ ତା ନିଜ ଜିନିଷ ପତ୍ରଠୁ ଅଧିକା ନୁହେଁ. ଭାଉଜ ଡାକିଲେ ଓ କହିଲେ ରାଜା ପୁଅକୁ ଖଜା ଅଭାବ ନଥିଲା ଭଳି ସ୍ବିଡେନ ରାଣୀଙ୍କୁ ଲୋଡ଼ା ନାହିଁ ସୁନା ଛାଉଣୀ, ଏକଥା ମୁଁ ଜାଣେ ଶୁଶ୍ରୀ କିନ୍ତୁ ମୁଁ ଯୋଉ ଅମାନତ ରଖିଛି ତାହା ନେବାକୁ ମନା କରନା. ସେଥିରେ ବୋଉଙ୍କ ଆଶୀର୍ବାଦ ଭରା ଲୁହ କୋହ ଓ ମମତା ଭରା ପ୍ରେମ ଖାସ ତୁମ ପାଇଁ . ତୁମେ ଜାଣ ସେ ଆଉ ଅଳଙ୍କାର ପିନ୍ଧୁନଥିଲେ ଏଇ ନାକଫୁଲଟି ଛଡା. କହୁଥିଲେ କିନ୍ତୁ ମୁଁ ସ୍ୱର୍ଗ କୁ ବାଟ କାଟି ଫେରିଗଲା ପରେ ଏଇଟିକୁ ମୋ ଝିଅକୁ ଦେବୁ ବୋହୁ ବୋଲି ନେହୁରା ହୋଇ କହିଯାଇଛନ୍ତି . ଏହା ଭିତରେ ମୁଁ ମୋ ଝିଅ ପାଖରେ ରହିଥିବି. ତା ପିଲାଦିନର ଉଷ୍ମତା ପାଉଥିବି. ମନା କଲା ନାହିଁ ଶୁଶ୍ରୀ ବରଂ ବୋଉର ଉପହାର ଗ୍ରହଣ କରି ଉଡି ଚାଲିଗଲା ଭାଇ ଭାଉଜଙ୍କୁ ପ୍ରଣାମ କରି. ସ୍ବିଡେନରେ ପହଞ୍ଚିବାର କେଇ ଦିନ ଭିତରେ ଭାଉଜ ପାଖକୁ ଭିଡ଼ିଓ କଲ କରିଥିଲା ଯୋଉଥିରେ ଶୁଶ୍ରୀ ନାକ ଫୋଡେଇ ବୋଉର ନାକଫୁଲଟିକୁ ଗଲାହାର ପରି ପିନ୍ଧି କଇଁ କଇଁ କାନ୍ଦୁଥିଲା ତ ଏପଟୁ ଭାଉଜ କହୁଥିଲେ ବୋଉ ତ ତୁମ ପାଖେ ଆଉ କାନ୍ଦ କଣ ପାଇଁ!