ବନ୍ଧୁ
ବନ୍ଧୁ
ସମସ୍ତଙ୍କ ସହ ସୁସମ୍ପର୍କ ରଖି
ବିଶ୍ବାସୀଙ୍କୁ ବନ୍ଧୁ ମଣ
ବେଳ ଅବେଳରେ ବନ୍ଧୁ ପାଇଁ ବନ୍ଧୁ,
ଭୁଲନାହିଁ ବନ୍ଧୁ ପଣ ।
ବନ୍ଧୁତା ନୁହଁଇ ଲାଭ ଆଉ କ୍ଷତି
ଜଟିଳ ଗଣିତ ଖାତା
ବିପଦେ ଆପଦେ ବନ୍ଧୁ ପାଇଁ ବନ୍ଧୁ
ଛିଡା ହୁଏ ଭିଡି ଅଣ୍ଟା ।
ଅସାଧୁଙ୍କ ସାଥେ ବନ୍ଧୁତା କରିବା
ବିପଦକୁ ନିମନ୍ତ୍ରଣ
ସାଧୁ ସଙ୍ଗତରେ ଭାବବନ୍ଧୁତାରେ
ଜୀବନ ହୁଅଇ ଧନ୍ୟ ।
ସେହି ବନ୍ଧୁପଣେ ପ୍ରଭୁ ଜଗବନ୍ଧୁ
ବନ୍ଧୁ ଦୁଃଖ କୁ ସେ ବୁଝି
ଭୋକେ ଶୋଇଥିଲେ ବନ୍ଧୁ ମହାନ୍ତି ଙ୍କୁ
ଖୁଆଇଲେ ଖୋଜିଖୋଜି ।
ବନ୍ଧୁ ପାଖେ ବନ୍ଧୁ କହିପାରେ ଖୋଲି
ତା ମନ ଗୋପନ କଥା
ବନ୍ଧୁ ମନ କୁ ତ ବୁଝିପାରେ ବନ୍ଧୁ
ବୁଝିପାରେ ମନ ବ୍ୟଥା ।
ବନ୍ଧୁ ସୁଦାମା ଙ୍କ ମନକଥା ବୁଝି
କଳାକାହ୍ନୁ କୃଷ୍ଣଚନ୍ଦ୍ର
କରିଲେ କରୁଣା ବିପ୍ର ସୁଦାମାଙ୍କ
ଦାରିଦ୍ର୍ୟ ହୋଇଲା ଦୂର ।
ବନ୍ଧୁ ହୋଇ ଯିଏ ବନ୍ଧୁକ ସାଜଇ
ନାହିଁ ତାର ଗତିମୁକ୍ତି
ଆଜି ନହେଲେବି କାଲି ନିଶ୍ଚେ ସିଏ
ଧର୍ମଦାଣ୍ଡେ ପାଏ ଶାସ୍ତି ।
ବନ୍ଧୁର ପଥରେ ବନ୍ଧୁ ର କାନ୍ଧରୁ
ଖସାଇ ଦେବନି ହାତ
ବନ୍ଧୁ ଦ୍ରୋହୀ ଜମା ହେବନାହିଁ ବନ୍ଧୁ,
ବନ୍ଧୁଦ୍ରୋହ ମହାପାପ ।
