ବିଜ୍ଞାନୀ ମଣିଷ
ବିଜ୍ଞାନୀ ମଣିଷ
ମୋହ-କୋହ-ଛାୟା-ମାୟାର ସଂସାର
ହାଡ଼-ଗଣ୍ଠି-ରକ୍ତ-ମାଂସର ଶରୀର
ଲୁହ-ଲହୁ-ଘିଅ-ମହୁର ଝିଞ୍ଜିର
ତଥାପି ହସୁଥାଏ ବିଚରା ମଣିଷ
ଉଦରସ୍ଥ କରି ବିଷ କଳୁଷ ।
ଛଟକ - ମଟକ-କଟକ-ରେ ବନ୍ଧା
କାନ୍ଦ-ବାସନ୍ଦ-ସନନ୍ଦରେ ଛନ୍ଦା
ସଉକ-ସମୁକ-କୌତୁକରେ ଫନ୍ଦା
ତଥାପି ମୁରୁକୁଥାଏ ବିବଶ ମଣିଷ
ସ୍ୱେଦସ୍ନାନରେ ଆତ୍ମସନ୍ତୋଷ ।
କଳି -କଜିଆ-ଗାଳିରେ ଦିନ ଆରମ୍ଭ
ଛିଦ୍ର-ଦୋଷ-ନିନ୍ଦାରେ ସରେନି ଦମ୍ଭ
ପବନ-ପାବନ-ପାଚନରେ ଶେଷସ୍ତମ୍ଭ
ତଥାପି ବଳ କଷୁଥାଏ ବିବେକୀ ମଣିଷ
ତେଲ ଲୁଣରେ କଷୁଥାଏ ବଳିଥିବା ଆୟୁଷ ।
ପାପୁଲି-ଫାଳରେ ଦେଖିପାରେ ଭାଗ୍ୟରେଖା
ପଖାଳ-କଂସାରେ ଆଙ୍କିପାରେ ଚିତ୍ରଲେଖା
ଫଟା-ଚପଲ ପିନ୍ଧି ଲଙ୍ଘିପାରେ ସୀମାରେଖା
ତଥାପି ସନ୍ଧାନୀ ସମାଧାନୀ ବିଜ୍ଞାନୀ ମଣିଷ
ସଂସାର-ସଂସ୍କାର- ପରିବାର ପାଇଁ
ଆଜନ୍ମ ସମର୍ପିତ ଦିନ ରାତି ବର୍ଷ ମାସ ।
