ବିବାହ
ବିବାହ
ଚିତ୍ର ପରି ଲାଗେ ଆଜି ହଜିଗଲା ଦିନ ;
ସୁନାନାକୀ ଭୂଆଷୁଣୀ ଲୁଚାଉନି ମୁହଁ
ଗଣି ଗଣି ସମ୍ଭ୍ରମରେ ଥାପୁ ନାହିଁ ପାଦ
ସବାରୀ ତା ଚାଲୁ ନାହିଁ ଧୀରେ
ଶୁଭୁ ନାହିଁ ଡାକ ଆଉ ହାକୁମ ଧାବଲ ।
ବୈକୁଣ୍ଠ ସମାନ ସେହି ଝାଟିମାଟି ଚାଳଘର
ମୋ ସ୍ୱର୍ଗଦୁଆର
ହେଉନାହିଁ ପ୍ରତ୍ୟୁଷରୁ ଓଳାଓଳି
ପବିତ୍ର ଗୋବର ପାଣି ହେଉନାହିଁ ଛିଞ୍ଚା
ଜଳୁ ନାହିଁ ସଞ୍ଜବତୀ ଚଉରା ମୂଳରେ
ଦିଶୁ ନାହିଁ ଝୋଟି ଚିତା
ଲକ୍ଷ୍ମୀପାଦ ପଦ୍ମଫୁଲ କେରି କେରି
ପତ୍ର ଧାନସିଞ୍ଚା ।
ଜୀବନରେ ସବୁକିଛି ନୁହେଁ ଅର୍ଥ
ମହଲରେ ମିଳେ ନାହିଁ ମମତା ସେନେହ
ଧାଇଁ ଧାଇଁ ମୃଗତୃଷ୍ଣା ପଛେ
ଏ ମଣିଷ ଭାରାକ୍ରାନ୍ତ କ୍ଲାନ୍ତ
ବୁଝୁଛି ସେ ଧିରେ ଧିରେ ବିଳମ୍ବରେ
ହଜିଗଲା ଐତିହ୍ୟ ମହତ୍ତ୍ଵ ।
ସେଦିନର ସବୁ ସତ
ମୁହଁଦେଖା ସୁଖ ସ୍ୱପ୍ନ
ଆଜି ଅବ୍ୟାପାର
ବିସ୍ମୃତିର ବେଳାବୁକେ ବିଚ୍ଛୁରିତ ଇତସ୍ତତଃ
ସ୍ୱର୍ଣ୍ଣରେଣୁ ମୋ ମାଟି ମହକ
ଶୁଭୁଅଛି ରହି ରହି ସୁନାପୁଅ
ଧରମାର ଡାକ
ଅନ୍ଧକାର ବୁକୁ ଚିରି ସାତ ଦରିଆ ସେପାରୁ
ଲେଉଟି ଆସିବ ସତେ ଏ ଜାତି ବୋଇତ
ମୋ କଳିଙ୍ଗ ସପନ ବଣିକ
ବିଭୂଷଣ ପୁଷ୍ପବାସେ ମହକିବ ସୁସମ୍ପର୍କ
ପ୍ରୀତିପ୍ରେମ ବନ୍ଧନ ବିବାହ
ଝଲସି ଦିଶିବ ମୁହଁ
ସୁବିଶ୍ୱାସେ ଉକୁଟିବ ଜହ୍ନତାରା
ଅବିକଳ ପ୍ରତିବିମ୍ବ
ସୁନାର ସ°ସାର
ଭବିଷ୍ୟତ ହୋଇବ ମୋ
ଗୈ।ରବ ଉଜ୍ଜ୍ୱଳ।
-----