ଭୁଲି ନାହୁଁ ତୁମକୁ
ଭୁଲି ନାହୁଁ ତୁମକୁ
ସବୁ ଫୁଲ ଦିଏନି ସୁଗନ୍ଧ
ସବୁ ଗନ୍ଧ ଦିଏନି ଆନନ୍ଦ,
ବନସ୍ତରେ ହେଉ ଅବା ବାଡି ବଗିଚାରେ
ଫୁଲ କିନ୍ତୁ ଫୁଟି ଥାଏ
ଗନ୍ଧ ବି ବିତରି ଥାଏ
ନ ହୋଇ ବିଷାଦ।
ସବୁ ଫୁଲେ ଥାଏ ତ ସୁଗନ୍ଧ
କାହା ପାଇଁ ହୁଏ ସେ ଦୁର୍ଗନ୍ଧ,
ଥାଉ ସିଏ ଦେବଶିରେ ଅବା ଶବୋପରେ
ନାନା ମୁନି ନାନା ମତ
ମତ ବି ବଦଳି ପାରେ
ଦୁର୍ଗନ୍ଧ ସୁଗନ୍ଧ।
ସୁଗନ୍ଧ ର ସନ୍ନିକଟେ ଦେଖ
ଦୁର୍ଗନ୍ଧ ହୋଇଯିବ ଭେଟ,
ଦୂର ପାହାଡ଼ ସୁନ୍ଦର ନିକଟରେ ନୁହେଁ
ରାଜ ହଂସ ହୋଇଯାଅ
ମୁକୁତା ସାଉଁଟି ନିଏ
ରଖି ନିଜ ଥାଟ।
ପାଶେ ଥିଲ ସଙ୍ଗେ ମିଳିମିଶି
ଏବେ ତୁମେ ହେଲ ପରଦେଶୀ,
ନିକଟରେ ଥାଅ ଅବା ଥାଅ ଅନତିରେ
ଭୁଲିନୁ ସୁଗନ୍ଧ ତୁମର
ଭୁଲିବି ପାରିବୁନି
ଏ ମନୁ ସରସୀ।