STORYMIRROR

Suchitra Nayak

Fantasy Others

4  

Suchitra Nayak

Fantasy Others

ଭୋଦୁଅ ସଞ୍ଜ

ଭୋଦୁଅ ସଞ୍ଜ

1 min
348

ଋତୁ ପରେ ଋତୁ ଆଗମନେ ହର୍ଷେ

    ଆହ୍ଲାଦିନୀ ଯେ ଅବନୀ

ଶ୍ରାବଣ ବିଦାୟେ ଭାଦ୍ରବ ପରଶେ

    ଲାସ୍ୟମୟୀ ସୁହାସିନୀ। 


ବାରୁଣୀ ବକ୍ଷରେ ଅରୁଣିମା ବିଞ୍ଚି

    ଭାନୁ ଯାନ୍ତି ଅସ୍ତାଚଳେ

ପ୍ରାଚୀ ବିହାୟସେ ପୂଷାତ୍ମଜ ଫାଙ୍କୁ

    ସନ୍ଧ୍ୟା ତାରା ଦୀପ୍ତି ଢାଳେ। 


ସରୋବରେ ମଧୁଶଯ୍ୟା ରଚିଅଛି

    ପ୍ରଣୟିନୀ କୁମୁଦିନୀ

ଆନନ ତା ତୋଳି ନିଶିକରେ ଦେଖେ

    ଲିହି ପ୍ରଣୟ କାହାଣୀ। 


ଭୋଦୁଅ ସଞ୍ଜ ତା ଭିଜା ସରଣୀରେ

    ଆଙ୍କିଛି ନିହାଣ ମୁନେ

କୋଣାର୍କର ସ୍ମୃତି ଛବି କାରୁ କୃତି

    ଗୋ ଗୋଷ୍ଠର ପଦ ଚିହ୍ନେ। 


ନୀଳାମ୍ବରା ଧରା କ୍ଷେତ ଶସ୍ୟଭରା

   ମନ୍ଦ ସମୀରେ ହିଲ୍ଲୋଳେ

ନୀଡ଼ ଫେରା ପକ୍ଷୀ ଗାନ କରେ ଗୀତି

   କଳରବରେ କଲ୍ଲୋଳେ। 


ଆଦ୍ୟ ଶରତର ଭୋଦୁଅ ବୁକୁରେ

   ଖେଳେ ସୁମନ ସମ୍ଭାର 

ଚମ୍ପା, ନାଗେଶ୍ଵର, ଗଇଶ, କଦମ୍ବ

   କନିଅର ମନୋହର। 


ଯୂଈ, କିଆ, ହରଗଉରା, ମାଳତୀ

   କେତକୀ, ରଙ୍ଗଣୀ ଶୋଭା

କାଶତଣ୍ଡୀ, ବୋହୂବୋହୂକାରେ ମଣ୍ଡି

   ପୂଷା ଦିଶେ ଚିତ୍ତଲୋଭା। 


ଭାଦ୍ର ମାସେ ଖୁଦୁରୁକୁଣୀ ଓଷା ଯେ

    ବାଳଝିଏ କରିଥାନ୍ତି 

ଭୋଦୁଅ ସଞ୍ଜରେ କୋଠି ମଞ୍ଚାପରେ 

    ଭାଲୁକୁଣୀ ପୂଜା ପାନ୍ତି। 


କାନନେ ପଲ୍ଲବେ ଦ୍ରୁମଲତା ରାଜି

    କୁମୁଦ ନିକରେ ଦୀର୍ଘା

ଚାରୁହାସ୍ୟମୟ ଜଳ ସ୍ଥଳ ବନ

    ସବୁଜ ପ୍ରାନ୍ତର ପ୍ରଭା। 


କର୍ଷକ ବାହୁଡ଼େ ସହର୍ଷରେ ଅତି

    ବେଉଷଣେ ହସେ କ୍ଷେତ

ଗ୍ରାମ ମୁଣ୍ଡ ଟୁଙ୍ଗିପରେ ବୋଲୁଥାନ୍ତି

    ପୁରୁଖାଏ ଭାଗବତ। 


କେବେ ପୁଣି ଅସ୍ତଗାମୀ ଦୀପ୍ତାଂଶୁର

    ସପ୍ତରଙ୍ଗ ଦୀପ୍ତି ବହି

ଇନ୍ଦ୍ରଧନୁ ଆଙ୍କେ ଅମ୍ବରେ ଅମ୍ବୁଦ

    ଭୋଦୁଅ ସଞ୍ଜକୁ ଚାହିଁ। 


ଭାଦ୍ରବେ ପର୍ବ ପର୍ବାଣୀର ସମ୍ଭାର

   ଘରେ ପୁରେ ସାଜସଜ୍ଜା 

ଜନ୍ମାଷ୍ଟମୀ, ନନ୍ଦ ଉତ୍ସବ ଯେ ପୁଣି

   ଗଣେଶ ଚତୁର୍ଥୀ ପୂଜା। 


କନ୍ୟା ସଙ୍କରାନ୍ତି, ବିଶ୍ୱକର୍ମା ପୂଜା

   ଖୁଦୁରୁକୁଣୀ ଯେ ହୋଇ

ବୁଧିବାମନ, ବାଲି ତୃତୀୟା ଓଷା

   ଷଷ୍ଠୀ ଓଷା, ନୂଆଖାଇ। 


ସୋମନାଥ ବ୍ରତ, କୁକ୍କୁଟୀ ବ୍ରତ ଯେ

   ଶ୍ରୀରାଧାଷ୍ଟମୀ, ସୁନିଆଁ

ଅନନ୍ତ ବ୍ରତ, ଚନ୍ଦ୍ର ପୂଜା ପରବ

   ଭାଦ୍ରବେ ପାଳେ ଓଡ଼ିଆ। 


ସୁଶୀତଳ ନିରିମଳ ଚଉଦିଶା

   ପୃଥ୍ବୀ, ଗଗନ, ସଲିଳ

 ସ୍ୱଚ୍ଛ ସମୀରଣ ଅବଗାହେ ତନୁ

   ପୁଲକି ହୃଦ କମଳ।


ଭୋଦୁଅ ସଞ୍ଜରେ ସନ୍ଧ୍ୟାବତୀ ଜାଳି

    ବୁରୁନ୍ଦାବତୀ ପୟରେ

ଦେବାଳୟେ ଶୁଭେ ଘଣ୍ଟ ଶଙ୍ଖ ଧ୍ୱନି

    ବିଭୁ ପଦେ ଧ୍ୟାନ କରେ।


Rate this content
Log in

More oriya poem from Suchitra Nayak

Similar oriya poem from Fantasy