ଭଲ ପାଠକଟିଏ ହେବି
ଭଲ ପାଠକଟିଏ ହେବି
ଭଲ ହେବା ପାଇଁ ଭଲ ରହିବାକୁ
ବୁଦ୍ଧି ଜ୍ଞାନ ବିବେକ ବିଚାର ଲୋଡ଼ା,
ଶ୍ରମ ବଳେ ବିଦ୍ୟା ଅର୍ଜିବାକୁ ହେଲେ
କରିବାକୁ ହେବ ମୋତେ ଭଲ ପଢା ।
ଶିଷ୍ୟଟିଏ ଭାବି ନିଜକୁ ସର୍ବଦା
ପଠନେ ରହିବି ମୁଁ ଯେ ତତପର,
ଭଲ ପାଠକଟି ହେବାର ସଂକଳ୍ପ
ମନେ ରଖିଥିବି ଭାବନାରେ ମୋର ।
ଜାଣିଛି ଏତିକି ପଠନେ ଶ୍ରବଣେ
ଯେତେ ଜ୍ଞାନ କରିହୁଏ ଆହରଣ,
ଜ୍ଞାନ ବିନା ନାହିଁ ଗତି ସ୍ଥିତି ମୁକ୍ତି
ଜ୍ଞାନ ବଳେ ଉଦ୍ଧାର ହୁଅଇ ପ୍ରାଣ ।
ଲଭିବାକୁ ନିତି କିଛି କିଛି ଜ୍ଞାନ
ଉତ୍ତମ ପାଠକଟିଏ ମୁଁ ଯେ ହେବି,
କର୍ମମୟ ଜୀବନେ ଅବସର ଖୋଜି
ପଠନେ କିଛି ସମୟ ଦେଉଥିବି ।
ଶିକ୍ଷା କେବେ କା'ର ହୁଏ ନାହିଁ ଶେଷ
ଅଶେଷ ଅଗାଧ ବିଦ୍ୟାର ଭଣ୍ଡାର,
ନିଜ ପାଇଁ ସଂସାର ପାଇଁ ଯା' ଭଲ
ସେ ପୋଥି ପଠନେ ମନ ଥିବ ମୋର ।
ଜୀବନ ଧାରଣେ ଶରୀର ବର୍ଦ୍ଧନେ
ଖାଦ୍ୟପେୟର ଆବଶ୍ୟକତା ପରି,
ମନର ଆହାର ଜ୍ଞାନ ହୋଇଥାଏ
ଦିଏ ଯାହା ବୁଦ୍ଧି ବିବେକ ଯେ ଭରି ।
ମନ ଚାହେଁ ହସଖୁସି ସୁଖ ଶାନ୍ତି
ସଂସାରେ ନିତି ରହିବ ବୋଲି ଭଲ,
ଭଲ ରହିବାକୁ ଭଲ ଜ୍ଞାନ ଖୋଜେ
ଉପାଦେୟ ପୁସ୍ତକମାନ ମୁଁ ପଢି,
ସୁସ୍ଥ ସୁନ୍ଦର ଜୀବନ ପାଇବାକୁ
ଅଧ୍ୟୟନ କ୍ଷେତ୍ରେ ଚାଲୁଥିବି ଲଢି ।
ଭଲ ପାଠକଟିଏ ମୁଁ ,ମୁଁ ଯେ ହେବି
ଭଲ ଜ୍ଞାନ ପାଇ ଭଲ ମୁଁ ଯେ ହେବି,
ଭଲ ଜ୍ଞାନ ସବୁ ବିନିଯୋଗ କରି
ସବୁରି ସାଥେ ଭଲରେ ରହିଥିବି ।
