ଭକ୍ତିପୁଷ୍ପ-୨୧
ଭକ୍ତିପୁଷ୍ପ-୨୧
ଟଳି ଗଲା ରାତି
ମିଳିଲା ଗୋ ଶାନ୍ତି
ସକାଳ ହେଲାଣି ଯିବା ଯମୁନା ,
ଟାହି କି ଟାପରା
ସବୁ ତ ଖପରା
କାହ୍ନୁ ଦର୍ଶନରେ ଯିବ ଯାତନା ।
ଯମୁନାର ପାଣି
ବହୁଛି ଉଜାଣି
କାହ୍ନୁ ବସି ଛନ୍ତି ବୋଲି ପାଖରେ ,
ଶୁଣି ବଂଶୀ ସ୍ବନ
ମନ ମୋ ଉଚ୍ଛନ୍ନ
କଳସୀ ରହୁନି ସଖି କାଖରେ ।
କାଖେଇ ନିଅନ୍ତି
ବାଗେଇ ଧରନ୍ତି
ଚିବୁକେ ଲାଗନ୍ତା ରଂଗା ଅଧର,
ସଖିଙ୍କୁ ଡକେଇ
ଦିଅନ୍ତି ଚଖେଇ
କାହ୍ନୁ ପ୍ରେମ ରସ କେଡ଼େ ମଧୁର ।
ସୁଦାମା ସୁବଳ
ଗୋପାଳୁଣୀ ଦଳ
ବିଭୋର ହୁଅନ୍ତେ ପ୍ରେମେ ସକଳ ,
ନଶୁଣନ୍ତି ନିନ୍ଦା
ନଖାଆନ୍ତି ଖୁନ୍ଦା
ଶାଶୁ ନଣନ୍ଦ ବି ହୋନ୍ତେ ପାଗଳ ।
ଆସ ଆସ ସହୀ
ଡେରି କର ନାହିଁ
ଭାବରେ ଆଣନି ଆଉ ଅଭାବ ,
ଭାବ ବିନୋଦିଆ
ଭାବରେ ମହୁଆ
ଭାବ ଦିଆ ନିଆ ତାର ସ୍ବଭାବ ।