ଭକ୍ତି ପୁଷ୍ପ-୬
ଭକ୍ତି ପୁଷ୍ପ-୬
ଊଣା ରାଈ ମନ
ଯିବାକୁ ଉଚ୍ଛନ
ସଖିଙ୍କର ନାହିଁ ଦେଖା ,
ପାହି ଲାଣି ରାତି
ଜାଗେ ମନେ ପ୍ରୀତି
କାହ୍ନୁ ବସି ଥିବେ ଏକା ।
ଯମୁନାର କୂଳ
କଦମ୍ବର ମୂଳ
ନୀରବରେ ଥିବେ ସକଳ ,
ରାଈକୁ ନପାଇ
ଏକାକୀ କହ୍ନେଇ
ହେବେଣି କେତେ ଗୋ ବ୍ୟାକୁଳ ।
ଆଲୋ ପୋଡ଼ା ମୁହିଁ
ସଖି ଗଲ କାହିଁ
ମନେ ମୋ ଆସୁଛି ଶଙ୍କା ,
ଏକା ଏକା ବସି
କାଳେ ଯିବେ ରୁଷି
ହଟିଆ ମୂରଲୀ ଫୁଙ୍କା ।
ଆସ ଗୋ ସହଳ
ସଖିଏ ସକଳ
ସପନ ହେଲା ଲୋ ବାସି,
ଡହଳ ବିକଳ
ମନ ମୋ ବ୍ୟାକୁଳ
ଉଠି ଯିବେ ପୁର ବାସୀ ।
କହି ଦିଅ ଖୋଲି
ଯିବ ନାହିଁ ବୋଲି
କାହ୍ନୁଙ୍କୁ ଡକେଇ ନେବି ,
ପୀରତି ଲବଣୀ
ରଖିଛି ମୁଁ ଛାଣି
ଭକ୍ତିରେ ଖୁଆଇ ଦେବି ।
