ଭିନ୍ନ ବାଟର ସହଯାତ୍ରୀ..
ଭିନ୍ନ ବାଟର ସହଯାତ୍ରୀ..
ଭାବିଲି କିଛି ଦେବା ପାଇଁ ତୁମକୁ
ଉପହାର ତୁମକୁ ଦରକାର ନାହିଁ
ଚକଲେଟ ଦେଲେ ଖାଅ ନାହିଁ
କ'ଣ ଦେବି ପୁଣି...
ସମୟ ?
ତୁମ ପାଖରେ ସମୟ ଥିବ କି ନାହିଁ ମୋ ସମୟ ସହ ତୁମ ସମୟର ମେଳ କରିବା ପାଇଁ !
ଯଦି ଥାଏ ତେବେ ଚାଲ କିଛି ନୂଆ ସମୟ କାଢି ପୁରୁଣା ସମୟର ଆଲୋଚନା କରିବା ।
ତୁମେ କହିଲ କଷ୍ଟ ହେବ କାଳେ ଶୁଣି ଏସବୁକୁ
ହେଲେ ଖୁସି ବି ଲାଗିବ
ତମେ କଷ୍ଟ ଉପରେ ଧ୍ୟାନ ନ ଦେଇ ଖୁସି ଉପରେ ଅଧିକ ଧ୍ୟାନ ଦେଲେ ସେ ସମୟର ଅନୁଭୂତି ଆଉ ଥରେ ପାଇପାରିବ ।
ଭଲ ଥିଲା ସେ ସମୟ
ତୁମେ ନିଜର ନଥିଲ ହେଲେ ଆପଣାର ଥିଲ
ବହୁତ ମନ ଭାଙ୍ଗିଛି ଆଉ ବହୁତ ମନ ସହ ମନ ମିଶି ଯୋଡି ବି ହେଇଛି
ତୁମକୁ ଭାଙ୍ଗିବା ମନେଅଛି ଯୋଡି ହେବାଟା ନାହିଁ...
ପାହାଡ଼ ଉପର ଚଢି ଆମେ ଦେଖିଛୁ ସାରା ଓଡିଶାକୁ
ହେଲେ ବହୁତ ସହଜରେ ଆମେ ନିଜ ଆଖିରେ ଆଖି ମିଶେଇ ବି ଦେଖି ପରିଥାନ୍ତୁ
ହେଲେ ଏତେ ନିକଟର ଥିଲୁ ଯେ ଆମେ ଆମକୁ ଏ ସୁଯୋଗ ହାତଛଡା କରିବାରେ ହିଁ ମଜା ଆସୁଥିଲା ।
ଆକାଶ ବି ବେଳେ ବେଳେ କାନ୍ଦେ ଆମ ପାଇଁ
ହେଲେ ଆମେ ତା ଲୁହରେ ଭିଜି ତାକୁ ଆନନ୍ଦମୟ କରି ପୁଣି ହାତ ଛଡା କରିଦେଉଥାଉ ଆକାଶର ବାଣୀ ।
ପୋହଳ ମାଛ ଠୁଁ ନେଇ ଚିକେନ୍ ପକୋଡା ପର୍ଯ୍ୟନ୍ତ ସବୁ କିଛିର ସ୍ୱାଦ ଅଧିକ ହେଇଯାଉଥାଏ ଆମର ମାନଖୋଲା ହସରେ ।
ରାସ୍ତା କଡରେ ଥିବା ଗଛଲତା ମଧ୍ୟରୁ ଲୁଚି ଲୁଚି ଆସୁଥିବା ଜହ୍ନ ଆଲୁଅରେ ଗୀତ ଗାଇ ଗାଇ ଚାଲୁ ଆମେ ମଝି ରାସ୍ତାରେ ।
ବୋଧ ହୁଏ ଜହ୍ନ ମଧ୍ୟ କହିବାକୁ ଚାହୁଁଥିଲା କିଛି ଗୀତ ମାଧ୍ୟମରେ ହେଲେ ଆମେ ଆମ ଗୀତରେ ମଗ୍ନ ରହି ତା ଗୀତ ଶୁଣିବାର ସୁଯୋଗ ହାତ ଛଡା କରିଦେଉଥାଉ ।
ଆମକୁ ପଥିକ ହୋଇ ଚାଳିବାରେ ମଜା ଆସୁଥିଲା । ଭୁଲି ଯାଇଥିଲୁ ପଥର ସମାପ୍ତ ନ ଥାଇ ପାରେ ହେଲେ ଆମ ଯାତ୍ରାର ସମାପ୍ତି ସୁନିଶ୍ଚିତ । ହେଲେ ଆମ ଯାତ୍ରାର ସମାପ୍ତି ଆମକୁ ହତୋତ୍ସାହ କରି ନ ଥିଲା କାହିଁ ଜାଣିଛ ଆମେ ଅଜ୍ଞାତ ଥିଲୁ ସେ ସମାପ୍ତି କୁ ନେଇ। ଆଖି ଚାହିଁ ରହିଥିଲା ଆହୁରି ଆଗକୁ ଯିବା ପାଇଁ ।
ପ୍ରକୃତରେ ଯାତ୍ରାରେ ସେ ସମାପ୍ତି ଆସିଥିଲା ବିଶ୍ରାମ ଲାଗି । ଯାତ୍ରା ପୁଣି ଥରେ ଆରମ୍ଭ ହୋଇ ଥିଲା ଆମ ଏକ ନୂଆ ରୂପ ନେଇ।ଏକ ନୂଆ ସମ୍ପର୍କ ନେଇ । ଏକ ନୂଆ ଲକ୍ଷ୍ୟ ନେଇ।
ଏଥର କିନ୍ତୁ ବୁଝିବାକୁ ଲାଗିଥିଲୁ ଆମେ ଆକାଶ ଲୁହକୁ,ଜହ୍ନର ଗୀତକୁ । ପୋହଲ ଓ ଚିକେନ ର ପୁରୁଣା ସ୍ୱାଦ କୁ ଝୁରି ହେଉଥିଲୁ । ପାହାଡ଼ ଚଢି ପଢିବାକୁ ଚାହୁଁଥିଲୁ ଆଖିର ଅକୁହା କଥାକୁ। ହେଲେ ଏ ଯାତ୍ରା ରେ ଆମ ପଥ ଅଲଗା ହୋଇ ଯାଇଥିଲା । ଆଉ ସେ ପଥରେ ପଛକୁ ଫେରି ଚାହିଁବା ପାପ ଥିଲା । ଅଟକିବା ମଧ୍ୟ ପାପ ଥିଲା ।
ଏବେ ଚାଲିଛୁ ଆମେ ଅଲଗା ବାଟରେ ଏକ ମନ ହୋଇ । ଅଲଗା ବାଟର ସହଯାତ୍ରୀ ହୋଇ ।