ବହି
ବହି
ବହି ଟିଏ ମୁଁ ବହିଟିଏ
ସବୁରି ମନର ସାଥୀଟିଏ
ମୋ ପାଖରେ ପର ଆପଣା ନ ଥାଏ
ସଭିଁଙ୍କି ମୁଁ ଭଲ ପାଉଥାଏ ।
ବହିଟିଏ ମୁଁ ବହିଟିଏ ।
ମୋ ପାଇଁ ଅକ୍ଷର ଶିଖି ଥାଏ
ନିଜେ ଲେଖି ନିଜେ ପଢୁ ଥାଏ
ଅ ଠାରୁ ଲ ଯୁକ୍ତାକ୍ଷର ଆଦି
କେତେ ମାତ୍ରା ସନ୍ଧି ଶିଖି ଯାଏ ।
ବହିଟିଏ ମୁଁ ବହିଟିଏ ।
ସବୁ ପରାଣର ମିତଟିଏ
ବାଉଁଶ ଦେହରୁ ଛପା ଯାଏ
କେତେ ଯତନରେ ସାଇତି ସେ ରଖି
ମନ ଧ୍ୟାନ ଦେଇ ପଢୁ ଥାଏ ।
ବହିଟିଏ ମୁଁ ବହିଟିଏ ।
ଧନୀ ବା ଗରିବ ହେଉ ସିଏ
ମୋତେ ଯେ ସାଇତି ରଖିଥାଏ
ତା ପାଖରେ ମୁଁ ଯତନରେ ରହି
ଜ୍ଞାନର ଆଲୋକ ଭରି ଦିଏ ।
ବହିଟିଏ ମୁଁ ବହିଟିଏ ।
ପାଠକ ମନର ସାଥିଟିଏ
ମୁଁ ତାକୁ ବେଶୀ ଭଲ ପାଏ
ମୋତେ ପାଇ ସିଏ ଦୁଃଖ ଭୁଲି ଥାଏ
ମୋ ଭିତରେ ସିଏ ହଜି ଯାଏ ।
ବହିଟିଏ ମୁଁ ବହିଟିଏ ।
ମୋ ଭିତରେ ସତ ଲୁଚି ଥାଏ
ପଢେ ଯିଏ ସିଏ ଜାଣି ଥାଏ
ପଣ୍ଡିତଙ୍କ ପାଖେ ଦିବ୍ୟ ଜ୍ଞାନ ମୁଁ
ଅଜ୍ଞାନୀ ପାଖରେ ଯୁକ୍ତି ହୁଏ ।
ବହିଟିଏ ମୁଁ ବହି ଟିଏ ।
କେତେ ଜ୍ଞାନ କେତେ ଭାଷା ଥାଏ
ଯାହା ଇଚ୍ଛା ଯିଏ ବାଛି ନିଏ
ଯତନରେ ରଖି ମୋତେ ଯିଏ ପଢେ
ତାର ଆପଣାର ହେଇଯାଏ ।
ବହିଟିଏ ମୁଁ ବହି ଟିଏ ।
ଗୀତା, ଭାଗବତ, ରାମାୟଣ
ଅନେକ ପୋଥି ମୋ ଦେହେ ଜାଣ
ଅଗାଧ ଜ୍ଞାନର ଭଣ୍ଡାର ସାଜି ମୁଁ
ତନୁ ମନ ସବୁ ମୋହି ଥାଏ ।
ବହିଟିଏ ମୁଁ ବହି ଟିଏ ।
ମନର ବାନ୍ଧବୀ ସାଜି ଥାଏ
ମନ ଜାଣି ତାକୁ ମୋହୁ ଥାଏ
କବିର ମନର ଭାବନା ରାଇଜେ
ପ୍ରେମ ଶବ୍ଦତୂଳୀ ଆଙ୍କି ଥାଏ ।
ବହିଟିଏ ମୁଁ ବହି ଟିଏ ।
ସବୁ ଜୀବନର ସାଥି ହୁଏ
କାହାକୁ ଧୋକା ନା କେବେ ଦିଏ
ଚିର ଦିନ ତାର ସାଥେ ରହି ତାକୁ
ଜ୍ଞାନର ଭଣ୍ଡାର ବାଣ୍ଟୁ ଥାଏ ।
ବହିଟିଏ ମୁଁ ବହି ଟିଏ ।
ମୋ ପାଇଁ ପାଠ ପଢି ସିଏ
ଜ୍ଞାନୀ ପଣ୍ଡିତରେ ଗଣା ହୁଏ
ଦେଶ ବିଦେଶରେ ଯଶ ଖ୍ୟାତି ଅର୍ଜି
ସୁନାମ ଅର୍ଜି ସେ ବ୍ୟାପି ଯାଏ ।
ବହିଟିଏ ମୁଁ ବହି ଟିଏ ।
ନିଃସଙ୍ଗେ ସାହାରା ହୋଇଥାଏ
ପ୍ରେମିକା ସାଜି ମୁଁ ପାଖେ ଥାଏ
ଶେଷ ସମୟରେ କେତେ ମୁଁ ନିଜର
ଭଲ ପାଏ ଯିଏ ଜାଣିଥାଏ ।
ବହିଟିଏ ମୁଁ ବହି ଟିଏ ।