ଭଗ୍ନ ଅସ୍ତିତ୍ୱ
ଭଗ୍ନ ଅସ୍ତିତ୍ୱ
କେନ୍ଦରା ବଜାଇ ଯୋଗୀ ଗୀତ ଗାଇ
ନିଇତି ପୋଷେ ଉଦର,
ଚକୁଳିଆ ପଣ୍ତା ତାଳ ଛତା ଧରି
ଅଗଣାରେ ତରବର ॥
ମୁଣ୍ତପୋତା କେଳା ଭେଇଥାଏ ମେଳା
ମୁଣ୍ତପୋତି ଅବନୀରେ,
ଧର୍ମପତ୍ନୀ ତାର ମାଗଇ ଆହାର
ପଣତ କାନି ସାହାରେ ॥
ଯୈାବନ ହରାଇ ସାଜି ଭିକାରୁଣୀ
ପାଳଇ ଟିକି ସଂସାର,
ଅଲରା କେଶରେ ବାଈଆଣୀ ସାଜି
ବୁଲଇ ଦାଣ୍ତ ଦୁଆର ॥
ମନ୍ଦିର ବେଢାରେ ଦୁଃଖ ଯନ୍ତ୍ରଣାରେ
ଅସ୍ତିତ୍ୱର ହାହାକାର,
ପ୍ରକୃତି ଛିଟାର ପ୍ରଚଣ୍ତ ପ୍ରହାରେ
ରୂପ ଆଂକେ ଚିତ୍ରକାର ॥
ମାନବିକତାର ଭଗ୍ନ ଅସ୍ତିତ୍ୱରେ
କିଏ ଗଢଇ ପ୍ରାସାଦ,
କାହାର ଅସ୍ତିତ୍ୱ ବିଖଣ୍ତିତ ନିତ୍ୟ
ଘୋଟଇ କଳା ବଉଦ ॥
ସ୍ୱାଭିମାନ ନେଇ ଅପଙ୍ଗ ବଞ୍ଚାଇ
ନ ହୋଇ କର୍ମ କାତର,
ଅଳସ ପଣରେ କରମ କୋଢିଆ
ଲୁଟେ ଅନ୍ୟର ଆହାର ॥
ମାଗଣା ପ୍ରେମିକ ସାଜଇ କଣିକ
ମିଥ୍ୟା ଚକ୍ରବ୍ୟୁହ ରଚି,
ଆଖିବୁଜି କ୍ଷୀର ନିଇତି ପିଅଇ
ସାଜି ଠକ ସବ୍ୟସାଚୀ ॥
ସର୍ବଗିଳା ଆଉ କେତେ ଦିନ ଭାଇ
ଯୁଗ ସରିବାର ବେଳେ,
ଅସ୍ତିତ୍ୱର ଟିକେ ପରିଚୟ ଦେବା
ବିଭୂଙ୍କର ପାଦତଳେ ॥