STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବେଥେଲହାମ ତାରା

ବେଥେଲହାମ ତାରା

1 min
333

 

ଯୁଗ ଯୁଗାନ୍ତେ ଅଜ୍ଞାନ ଅନ୍ତେ

    ତୁମେ ହେ ଅବତର l

ତୁମେ ତ ଯୀଶୁ ତୁମେ ତ ଆଲ୍ଲା

   ତୁମେ ତ ଯୋରାଷ୍ଟର ll


ତୁମେ ତ ବୁଦ୍ଧ, ତୁମେ ତ ଜୈନ

    ତୁମେ ହେ କୃଷ୍ଣ ରାମ l

ଅନେକ ମତ, ଅନେକ ପଥ

    ଏକା ହିଁ ତୁମ ଧାମ ll


ଦୁଷ୍ଟ ଦଳନେ, ଶିଷ୍ଟ ପାଳନେ

   ଯୁଗ ଯୁଗର ଲୀଳା l

ଆଚାର ଧର୍ମ ରକ୍ଷଣେ ପ୍ରଭୁ

 ଜଗତେ ତଵ ଖେଳା ll


କୃଷ୍ଣ ଜନ୍ମିଲେ କଂସ କାରାରେ

      ତମିଶ୍ର ଅନ୍ଧକାର l

ବର୍ଷଣ ରାତି ଅର୍ଦ୍ଧ ଯାମରେ

   ଆକାଶେ ନିଶାକର ll


ଘୋଡ଼ା ଶାଳରେ ଜନ୍ମିଲେ ଯୀଶୁ

     ଆନନ୍ଦ ବସୁନ୍ଧରା l

ମେଷପାଳକେ ଦେଖିଲେ ଉଦେ

    ବିସ୍ମୟ ଏକ ତାରା ll


ସମସ୍ତ ଶିଶୁ ମାରିବ ପୁଣି

      ପଣ ମଥୁରାପତି l

ବେଥେଲହାମେ ଶିଶୁ ହାଣିବେ

   ହେରୋଡ଼ ନୁରୁପତି ll


ଅଜ୍ଞ ମାନବ ପାରେ କି କେବେ

   ସତ୍ୟର ରୋକି କଣ୍ଠ l

କାଳେ ପ୍ରକାଶ ସତ୍ୟ ନିର୍ଯ୍ୟାସ

   ପ୍ରଭୁ ପାଇଲେ କଷ୍ଟ ll


ପ୍ରଭୁଙ୍କ ଲୀଳା କେ ବୁଝିପାରେ

     ଅବତରିଲେ ଯୀଶୁ l

ପ୍ରଚାରି ଯିବି ସତ୍ୟ ଓ ପ୍ରେମ

   ଦେହ ମାଟିରେ ମିଶୁ ll


ଅଜ୍ଞ ମାନବ, କାହୁଁ ବୁଝିବ

   ପ୍ରଭୁଙ୍କ ଦିବ୍ୟ କଥା l

କ୍ରୁସ ପରେ ଚଢ଼ାଇ ଦେଇ

  ମୁଣ୍ଡେ ପିଟିଲା କଣ୍ଟା ll


କରୁଣା ମୟ ହସନ୍ତି ପ୍ରଭୁ

 ବୋଲନ୍ତି ପ୍ରେମବାଣୀ l

ହେ କ୍ଷମାମୟ କ୍ଷମ ଏହାଙ୍କୁ

   ପାରନ୍ତି ନାହିଁ ଜାଣି ll


ଏପରି ଥିଲେ ଆସିଲେ ଦିନେ

  ସଂସାରେ ଯୀଶୁଖ୍ରୀଷ୍ଟ l

ଈଶ୍ୱର ପୁତ୍ର ବିଚାରି ମନେ

    ହରି ମାନବ କଷ୍ଟ ll


ମାନବ ପ୍ରେମ ଅହିଂସ ଧର୍ମ

     ପ୍ରଚାରି ପ୍ରଭୁ ପରା l

ଦିବ୍ୟ ସନ୍ଦେଶ ପ୍ରଭୁ ପ୍ରକାଶ

  ବେଥେଲହାମ ତାରା ll


          


Rate this content
Log in

Similar oriya poem from Inspirational