ବଡଦିନ ସର୍ବତ୍ର
ବଡଦିନ ସର୍ବତ୍ର
ଖ୍ରୀଷ୍ଟଧର୍ମ ର ମୁଖ୍ୟ ପର୍ବ
ଯୀଶୁଙ୍କ ଜନ୍ମ ଦିନ
ଡିସେମ୍ବର ମାସ ପଚିଶି
ଜନ୍ମ ଗ୍ରହଣ ଦିନ
ସାଜସଜ୍ଜା ପ୍ରତି ଚର୍ଚ୍ଚରେ
ବିଶ୍ୱାସୀଙ୍କର ଘରେ
ଉପହାର ମିଠାଇ କେକ୍
ଦିଆନିଆ ଖୁସିରେ
ସାନ୍ତା ବେଶରେ ଉପହାର
ପିଲାଙ୍କର ଆନନ୍ଦ
ପ୍ରାୟ ସର୍ବତ୍ର ବ୍ୟାପିଅଛି
ବଡଦିନ ଆନନ୍ଦ
କୁମାରୀ ମରୀୟମ୍ ଗର୍ଭେ
ପବିତ୍ର ଆତ୍ମା ବଳେ
ପ୍ରଭୁ ଯୀଶୁଖ୍ରୀଷ୍ଟ ଈଶ୍ୱର
ମାନବ ରୂପ ହେଲେ
ପବିତ୍ର ଆତ୍ମାଙ୍କ କତ୍ତୃକ
ମାରୀୟମ୍ କୋଳରେ
ଜନମ ଲଭିଲେ ଧରାରେ
ଏକ ଗୁହାଳ ଘରେ
ମେରୀ ଖ୍ରୀଷ୍ଟମାସ୍ କହନ୍ତି
ଯୋଡ଼ି ମାତାଙ୍କ ନାମ
ଖ୍ରୀଷ୍ଟମାସ୍ ଓ ଏକ୍ସ ମାସ
ଭାବରେ ଅନ୍ୟ ନାମ
ଯୀଶୁଙ୍କ ମୁଖର ବଚନ
ଅଧିକାର ସ୍ବରୂପ
ଯାହା ଉଚ୍ଚାରଣ କରିଲେ
ଘଟୁଥିଲା ସେ ରୂପ
ପାଣିକୁ ମଦିରା କରିବା
ଆଶ୍ଚର୍ଯ୍ୟର କାମ
ଜନତାଙ୍କର ଗହଣରେ
ବୁଲିଲେ ଗ୍ରାମ ଗ୍ରାମ
ବାକ୍ୟ ଶୁଣି ମହା ଜନତା
ପଛେ ପଛେ ଧାଇଁଲେ
ସେମାନଙ୍କୁ ଦେଖି ଦୟାରେ
ବିଚଳିତ ହୋଇଲେ
କୁଷ୍ଠ ବ୍ୟକ୍ତି ଶୁଚି ଆରୋଗ୍ୟ
ଅନ୍ଧ ପାଇଲା ଦୃଷ୍ଟି
ବଧିରକୁ ଶ୍ରବଣ ଶକ୍ତି
ଖଞ୍ଜ ଚାଲିଲା ଉଠି
ପକ୍ଷଘାତ ରୋଗୀ ସୁସ୍ଥତା
ଉଠି ବସିଲା ପୁଣି
ଭୂତଗ୍ରସ୍ତ ଲୋକ ମୁକତି
ଯୀଶୁଙ୍କ ବାକ୍ୟ ଶୁଣି
ପାଞ୍ଚ ରୋଟି ଦୁଇ ମାଛ କୁ
ଆଶୀର୍ବାଦରେ ଦେଲେ
ପାଞ୍ଚ ହଜାର ଲୋକଙ୍କର
କ୍ଷୁଧା ତୃପ୍ତ କରିଲେ
ପାପୀ ମାନଙ୍କୁ କ୍ଷମା ଦେଲେ
ମୃତକ ପାଇ ପ୍ରାଣ
ଯୀଶୁଙ୍କ ସହିତ ରହିଲେ
ବାକ୍ୟ କରି ଶ୍ରବଣ
ଯୀଶୁଙ୍କ ବାର ଜଣ ଶିଷ୍ୟ
ପାଖରେ ରହୁଥିଲେ
ଉପଦେଶ ଗପ ଆଳରେ
ଯୀଶୁ ବାକ୍ୟ କହିଲେ
ବିଶ୍ୱାସ ଘାତ କରି ଜଣେ
ଯୀଶୁଙ୍କୁ ଧରାଇଲେ
ଶତ୍ରୁ ହସ୍ତରେ ରହି ପରେ
ଜୀବନ ବିସର୍ଜୀଲେ
ଅସଂଖ୍ୟ ଆଶ୍ଚର୍ଯ୍ୟ କରମ
ଯୀଶୁ କଲେ ସାଧନ
ପାପୀଙ୍କ ଉଦ୍ଦେଶ୍ୟେ ଶେଷରେ
କଲେ ପ୍ରାଣ ଅର୍ପଣ
ଆପଣା ବହୁମୂଲ୍ୟ ରକ୍ତ
ବୁହାଇଲେ କ୍ରୁଶ ରେ
ମାନବ ଜାତି ପରିତ୍ରାଣ
ମୁକତି ସାଧନରେ
କ୍ରୁଶୀୟ ଦାରୁଣ ମରଣ
ଥିଲା ଅସାଧାରଣ
ଦାରୁଣ ଯନ୍ତ୍ରଣା ସହିତ
କଲେ ପ୍ରାଣ ବର୍ଜ୍ଜନ
ଟଙ୍ଗାଇ ଯୀଶୁଙ୍କୁ କ୍ରୁଶ ରେ
ଯେଉଁମାନେ ମାରିଲେ
କ୍ଷମା ନିମନ୍ତେ ଈଶ୍ୱରଙ୍କୁ
ନିବେଦନ କରିଲେ
ହେ ପିତଃ, ଅଜ୍ଞାନ ବଶତଃ
କିଛି ଜାଣି ନାହାନ୍ତି
କ୍ଷମା ଦେବା ପାଇଁ ଯୀଶୁ
କରିଥିଲେ ପ୍ରଣତି
ଯୀଶୁଙ୍କ କ୍ରୁଶାର୍ପିତ ମୃତ୍ୟୁ
ଥିଲା ଅସାଧାରଣ
ପୁନରୁତ୍ଥାନ ସେପରି
ହେଲା ଅସାଧାରଣ
ଯୀଶୁଙ୍କ ବାକ୍ୟର ସତ୍ୟତା
ଘଟି ତୃତୀୟ ଦିନ
ମୃତ୍ୟୁଞ୍ଜୟୀ ହୋଇ ଫେରିଲେ
କବରରୁ ବହନ
ପୁନରୁତ୍ଥାନ ପରେ ପରେ
ଜନତାଙ୍କୁ ଦର୍ଶନ
ଚାଳିଶ ଦିନ ପୃଥୀବିରେ
ଜୀବିତର ପ୍ରମାଣ
ଶିଷ୍ୟ ମାନେ ଥିଲେ ଏକତ୍ର
ଯୀଶୁ ଥିଲେ ଗହଣେ
ସ୍ଵର୍ଗାରୋହଣ କରିଥିଲେ
ଦେଖିଲେ ଶିଷ୍ୟମାନେ
ସ୍ୱର୍ଗଦୂତ ଉପସ୍ଥିତ ହୋଇ
ଜନତାଙ୍କୁ କହିଲେ
ଯୀଶୁ ଆସିବେ ଧରାକୁ
ଯେଉଁ ଭାବରେ ଗଲେ
ଜୀବିତ ଥିଲା ସମୟରେ
ଯୀଶୁଙ୍କ ଉପଦେଶ
ସ୍ୱର୍ଗରାଜ୍ୟ ପ୍ରାୟ ନିକଟ
ପାପରୁ ଫେରି ଆସ
ପରିଶ୍ରାନ୍ତ ଓ ଭାରଗ୍ରସ୍ତ
ସତ୍ୟ ପଥରେ ଯାଅ
ବିଶ୍ରାମ ମିଳିବ ସଭିଙ୍କୁ
ଯୀଶୁ ସହିତ ରୁହ
ମୃଦୁଶୀଳ ଓ ନମ୍ରଚିତ୍ତ
ଯୀଶୁ ନିଜକୁ କହି
ସେହି ପରି ନିଜ ଜୀବନ
ରଖ ମର୍ତ୍ତ୍ୟରେ ରହି
ଯୀଶୁ କହିଥିଲେ ବଚନ
"ଜୀବନ୍ତ ଜଳ ମୁହିଁ"
ଥରେ ପାନ କଲେ ସେ ଜଳ
ତୁଷାର୍ତ୍ତ ହେବ ନାହିଁ
ଜଗତର ଜ୍ୟୋତି ହିଁ ଯୀଶୁ
କରି ନେଲେ ଗ୍ରହଣ
ଅନ୍ଧକାର ନାହିଁ ଜୀବନେ
କଲେ ବାକ୍ୟ ପାଳନ
ଯୀଶୁଙ୍କୁ ବିଶ୍ୱାସ କରିଲେ
ମରି ବଞ୍ଚି ରହିବ
ଯୀଶୁଙ୍କ ମୁଖର ବଚନ
କେବେ ମିଛ ନୋହିବ
ପଡୋଶୀଙ୍କୁ ପ୍ରେମ କରିବା
ଯୀଶୁଙ୍କର ବଚନ
ଗୋଟିଏ ଗାଲ ମାଡ ହେଲେ
ଅନ୍ୟଟି ସମର୍ପଣ
ଦେବାକୁ ଅନନ୍ତ ଜୀବନ
ଉପଦେଶ ଆଳରେ
ଯୀଶୁଙ୍କର ପୁଣି ଆସିବା
ରହିଛି ବିଶ୍ଵାସରେ
ବାଇବଲ ହିଁ ଧର୍ମଗ୍ରନ୍ଥ
ଖ୍ରୀଷ୍ଟ ଭକ୍ତ ମାନଙ୍କ
ବିଶ୍ବର ଅଧିକାଂଶ ଦେଶ
ଖ୍ରୀଷ୍ଟଙ୍କ ସମର୍ଥକ
ଯୁଗ ଯୁଗ ଧରି ପାଳିତ
ଯୀଶୁଙ୍କ ଜନ୍ମ ତିଥି
ଭାରତରେ ହୁଏ ପାଳନ
ବଡଦିନ ର ଉକ୍ତି
ପ୍ରତ୍ୟେକ ଧର୍ମର ମାନ୍ୟତା
ରହିଛି ଭାରତରେ
ଭାଇଚାରା ପର୍ବ ପାଳନ
ହୁଏ ହସ ଖୁସିରେ
ବିବିଧତା ମଧ୍ୟେ ଏକତା
ଆମ ଗଣତନ୍ତ୍ରର
ଖୁସି ଉଲ୍ଲାସରେ ପାଳନ
ହେଉ ବଡଦିନର ।
