ବାଟୋଇ ମୁଁ ଏକା ଏକା
ବାଟୋଇ ମୁଁ ଏକା ଏକା
ଜୀବନର ଚଲାବାଟ ଯେ ଅମାପ ଅଶେଷ ଦୂର
ବୟସର ଅଭିଜ୍ଞତା ଅନୁଭୂତି ଚିନ୍ତୁ ଥାଏ
ମାପିବାକୁ ତା' ଦୈର୍ଘ୍ୟ ପାଏନା ନିର୍ଦ୍ଦିଷ୍ଟ ଏକକ
ଚାଲୁ ଚାଲୁ ଥକିଗଲେ ଦଣ୍ଡେ ବସି ମାରେ ଥକ୍କା
ସେ ବାଟରେ ବାଟୋଇ ମୁଁ ଏକା ଏକା
ବାଟ ତ ଲମ୍ଵିଛି ଦୂରକୁ ପାଏନା ଆଖିର ନଜର
ଦିଗବଳୟରେ ପୃଥ୍ବୀ ଆକାଶ ଏକାକାର
ଆସନ୍ତି ଯା'ନ୍ତି ବାଟୋଇ କେତେ ଚିହ୍ନା ଅଚିହ୍ନା
ଯେ ଯାହାର ଗନ୍ତବ୍ୟରେ ଲକ୍ଷ୍ୟରଖି
ସଭିଙ୍କର ଉଦ୍ଦେଶ୍ୟ ପହଞ୍ଚିବାକୁ ଏକ ଠିକଣାରେ
ସାଙ୍ଗ ସାଥୀ ଭାଇ ଚାଲୁଥିଲେ ବି ସାଥୀରେ
ଶେଷ ଲକ୍ଷ୍ୟସ୍ଥଳ ଯାଏଁ ରୁହନ୍ତିନି କେହି
ବେଳେ ବେଳେ ରହେ ମୁଁ ଅଟକି ଦୋଛକିରେ
ଠିକ୍ ବାଟଟିଏ ବାଛିବାକୁ ଅନୁସନ୍ଧାନ କରେ
ଶଙ୍କା ସନ୍ଦେହକୁ ମନରୁ କାଢ଼ି ଦେଇ
ପାଦ ବଢ଼ାଏଁ ଆଗକୁ ନିଜ ଆତ୍ମ ଭରସାରେ
କେବେ ପାଏଁ ମୁଁ ଧୋକା କେବେ ଯାଏଁ ଠକି
ସଫଳତା ବିଫଳତାକୁ ରଖେ ସ୍ମୃତିର ଗଣ୍ଠୁଲିରେ
ଛାଡ଼ି ଆସିଥିବା ପଛକଥା ସବୁ ଯାଏଁ ଭୁଲି
ଜୀବନ ବାଟ ଚାଲିବାକୁ ଦେଇଛି ଏକ ମଉକା
ସେ ବାଟରେ ବାଟୋଇ ମୁଁ ଏକା ଏକା
ପାର୍ଥିବ ଜଞ୍ଜାଳର ଜ୍ବାଳା ଯନ୍ତ୍ରଣାକୁ ସହି ସହି
ଆଶା ସ୍ବପ୍ନକୁ ସାଉଁଟେ ନିଜ ସାଧ୍ୟରେ
ସଂପର୍କର ଭାରସାମ୍ୟତା ରଖେ ତଉଲି ତରାଜୁରେ
ମନ ମୋହେ ସଭିଙ୍କର ସ୍ନେହ ଶ୍ରଦ୍ଧା ମମତାରେ
ପ୍ରାଣର ପ୍ରିୟ ଯିଏ ହୋଇଥିଲେ ବି ସାଥୀ
ଚାଲି ହୁଏନାହିଁ ସମୁଦାୟ ବାଟ ତା' ସାଥୀରେ
ଜୀବନ ରଥରେ ନିଜେ ହିଁ ନିଜର ଚାଳକ
ଶରୀରର ଘଟରେ ଅବ୍ୟୟ ଅକ୍ଷୟ ଆତ୍ମା ସାରଥୀ
ପରମାତ୍ମାଙ୍କୁ ଆରାଧନା କରି ପାଳେ ଜୀବିକା
ବାଟେ କଲେ ହଟ ମୁଣ୍ଡରେ ଆସି ବାଜେ ଟେକା
ସେ ବାଟରେ ବାଟୋଇ ମୁଁ ଏକା ଏକା।