STORYMIRROR

Upendra prasad Mahala

Fantasy Others

3  

Upendra prasad Mahala

Fantasy Others

ବାଟବଣା ଝିଅ

ବାଟବଣା ଝିଅ

2 mins
271


ସୁନ୍ଦରୀ, କୁନ୍ତଳ ଘନକେଶୀ ଝିଅଟିଏ
ନାଁ ମୌସୁମୀ ।  ଅଜଣା ନୂଆ ସହରକୁ
ବୁଲି ଆସିଥିବା ଗାଁ ଝିଅ ପରି ବାଟବଣା।
ତାକୁ ନେଇ କାହିଁକେତେ ଚର୍ଚ୍ଚା, କଳ୍ପନା ।
ଆଗରୁ ବାଉଳା ଥିଲେ ଭାବୁକ, ରସିକ
ରୂପ ଲାବଣ୍ୟ ଦେଖି କବିମାନେ ଥିଲେ
ଭାବପ୍ରବଣ, ସୃଜନମନସ୍କ । ଲେଖୁଥିଲେ 
ପ୍ରେମ ରଂଗ ଭିଜା ରୋମାଣ୍ଟିକ କବିତା ।
ଠିକଣା ହଜାଇ ଏବେ ଘୂରିବୁଲୁଛି ରୂପସୀ
ଏଣେତେଣେ, ରହସ୍ୟମୟ ତା' ଉପସ୍ଥିତି ।
ଖେଳୁଛିକି ଲୁଚକାଳି, କାହାକୁ ବା ଜଣା ?

ବଡ ଅମାନିଆ ଝିଅ । ସମସ୍ତଙ୍କୁ ଏମିତି
ଚକମା ଦେଖାଇ ନିଖୋଜ ହୋଇଯାଏ।
ଆଗରୁ କେତେ ଅପବାଦ, ନିନ୍ଦା ଶୁଣିଛି।
ସେ ହସିଲେ ବିଲବାଡିସବୁ ହସି ଉଠେ
ଧାନ କିଆରିକୁ ଆସି ଖେଳନ୍ତି ଚୁନାମାଛ
ବେଙ୍ଗ ବେଙ୍ଗୁଲି ଦଳ କୁଦା ମାରି ନାଚନ୍ତି
ଧାରା ଶିରାବଣ ରାଗିଣୀରେ ଝୁମି ଉଠେ
ମାଟିରୁ ଆକାଶ। ପାଣିରେ ଚବଚବ ହୋଇ
ଗାଁ ପିଲା କାଗଜ ଡ଼ଙ୍ଗା ଭସାଇ ଖେଳନ୍ତି ।

ମୌସୁମୀର ଲୁଚାଲୁଚି ଖେଳ ଦେଖ !!
ଆକାଶରୁ ନଇଁ ଆସୁଛି କୃଷ୍ଣ ମେଘମାଳା
ଲୁଚି ଯାଉଛି କ୍ଷଣିକେ ରଂଗ ବଦଳାଇ।
ସାଧାରଣ ବୃଷ୍ଟିପାତରୁ ଏଥର କମ୍ ବର୍ଷା,
ଅପାଣିଆ କ୍ଷେତକୁ ଚରି ଗଲେଣି ଗୋରୁ,
ମାଡି ଆସୁଛି ମରୁଡିର କରାଳ ଛାୟା ।
ଆକାଶକୁ ଆଁ କରି ଚାହିଁଛି ଶୁଖିଲା ମାଟି,
ଆସନ୍ନ ମରୁଡି ଭୟ, ଚାଷୀକୁଳ ହତାଶ।

ଗାଁରେ ରାତିବେଳେ ଶୁଭୁନି ବେଙ୍ଗ ରଡି,
ଝିଙ୍କାରୀ ଦଳଙ୍କ କାନଫଟା ଝିଁ ଝିଁ ଶବଦ,
ପାଣିରେ ବୁଡ ପକାଇ ରାବୁନି କୁମ୍ଭାଟୁଆ ।
କେଉଁଠି ଦେଖିବାକୁ ମିଳୁନି କଳା ପିମ୍ପୁଡି
ମେଳି, ଉଚ୍ଚା ଘାସ ପଡିଆକୁ ଆସିନାହାନ୍ତି
ଏଯାଏ ସାଧବ ବୋହୂ ସଜବାଜ ହୋଇ।
ରାତିରେ ଆଲୋକର ଆକର୍ଷଣରେ ଉଡି
ଆସୁନାହାନ୍ତି ଝଡିପୋକ ଖେଳିବା ଲାଗି ।

କଥାରେ ଅଛି, "ଚାଷୀ ହୁଡିଲେ ବରଷେ"
ମୌସମୀ ହୁଡିଲେ ଚାଷୀକୁଳ ନୂଆ ପାଞ୍ଜି
ଦେଖନ୍ତି, ମେଘ ଦେବତା ପୂଜିବା ଲାଗି ।
ବେଙ୍ଗବେଙ୍ଗୁଲି ଧରିଆଣି ବାହା ଦିଅନ୍ତି,
ଗାଁ ଗାଁରେ ବାଜେ ଢୋଲ ଓ ନାଗରା ।
ମନ୍ତ୍ରାୟିତ ହୁଅନ୍ତି ଗାଁ ଠାକୁର, ଠାକୁରାଣୀ
ଯଜ୍ଞରେ ଘିଅ ଆହୂତି ଢଳାଯିବା ବେଳେ।
କେହି କେହି ନିଛାଟିଆ ରାତିଅଧରେ ଏକା
ଲଙ୍ଗଳା ହୋଇ ଗାଁ ଦାଣ୍ଡ ମାଟିରେ ପୋତି
ଆସନ୍ତି ଓଲଟା କରି ଲଂଗଳ, ବର୍ଷା ପାଇଁ ।
ଅନ୍ଧବିଶ୍ବାସ ଠାରୁ ଏଯାଏ ମୁକୁଳି ପାରୁନି
ଵିପର୍ଯ୍ୟୟଗ୍ରସ୍ତ ମଣିଷର ମାନସିକତା ।
ବିଜ୍ଞାନ ଯୁଗକୁ ପରିହାସ କରି ଆଜି ବି
କୃଷି ଓ କୃଷକ ଜିଉଛି ନିଜ ଜୀବନ !!

କରୋନାର ପ୍ରାଣାନ୍ତକ ଭୟକୁ ଘାରିଛି
ମରୁଡି ଚିନ୍ତା  । କାନ୍ଦୁଛି ଚାଷୀଙ୍କ ଆତ୍ମା।
ଶ୍ରୀହୀନ ଦିଶୁଛି ଅପାଣିଆ ବିଲବାଡି।
ଧାରା ଶ୍ରାବଣରେ ଶୁଭୁନି ନୃତ୍ୟାୟିତ
ମୌସୁମୀ ବର୍ଷାର ଛମଛମ ପାଦଧ୍ବନି।
ଅଜଣା ସହର ଛାଡି ଫେରି ଆସିବକି
ଶୀଘ୍ର ମୌସୁମୀ, ଦୁଃଖି ଚଷାପୁଅ ବାଟ
ଚାହିଁ ବସିଛି ବିଲରେ ହିଡମୁଣ୍ଡ ଜଗି ।

ପ୍ରକୃତିରେ ଅସନ୍ତୁଳନ ଦେଉଛି ଦୁଃଖ,
କେଉଁଠି ମରୁଡି, କେଉଁଠି ବର୍ଷା ବିତ୍ପାତ
କାହା ଉପରେ ଲଦି ପାରିବା କି ଦୋଷ ?
ଜଙ୍ଗଲ, ପରିବେଶ, ସବୁଜିମା ଧ୍ବସ କରି
ମଣିଷ ତ ଲେଖୁଛି ନିଜେ ନିଜ ଭାଗ୍ୟ !!
ଚାଷୀଙ୍କୁ କିଏ ଦେବ ଭରସା ମୌସୁମୀ
ଫେରିବ, ସବୁଠି ହେବ ସୁଷମ ବର୍ଷା ?
ପାଣିପାଗ ବିଶାରଦଙ୍କୁ ତଥ୍ୟ ଅଜଣା !!

*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy