STORYMIRROR

Dhananjaya Bagarty

Romance Others

3  

Dhananjaya Bagarty

Romance Others

ବାଟ ହୁଡ଼ ଚଢେଇଟେ

ବାଟ ହୁଡ଼ ଚଢେଇଟେ

2 mins
359

ବୟସର ମଧ୍ୟାହ୍ନରେ ସୂର୍ଯ୍ୟ ଅସ୍ତ ହୋଇଗଲା

ସ୍ୱ ଇଛାରେ ନୁହଁ

ଅନ୍ୟ କିଛି ବିକଳ୍ପ ନ ଥିଲା ।


ସେ ଚାହୁଁଥିଲା ଉଡିବାକୁ ସୁନେଲି ଆକାଶରେ

ସେ ଚାହୁଁଥିଲା ଗଢିବାକୁ ସପନର ରାଜମହଲ

ସେ ଚାହୁଁଥିଲା ପ୍ରେମର ନଈରେ ଜଣେ ଦକ୍ଷ ନାବିକ ସାଜିବାକୁ


ଯେତେବେଳେ ପାଦ ଦେଲା ସଂଘର୍ଷର ବାସ୍ତବ ରାଇଜେ

ଗୋଟି ଗୋଟି ସ୍ୱପ୍ନକୁ ଧୂଳିସାତ ହେବାର ଦେଖି

ନିରାଶ, ହତାଶ ,ଅସହାୟ,ଅବହେଳିତ

କିନ୍ତୁ ଜୀବନ ! ବାଟ ତ ଚାଲିବାକୁ ହେବ

ନିରବ,ନିସ୍ତବ୍ଧ ହୋଇ !


ଜୀବନର ସବୁ ଯନ୍ତ୍ରଣାକୁ ଛାତିରେ ଚାପିରଖି

ଆଗକୁ ବଢିବାକୁ ଚେଷ୍ଟା କରିଛି ।

ହେଲେ ! ମରୁଭୂମିର ଶୁଷ୍କ ବାଲି ରାଶିରେ ଥକି ପଡିଛି ।

ଜୀବନର ପରିଭାଷାକୁ ବୁଝିବାକୁ ଯାଇ

ପହଂଚି ଯାଇଛି ମରଣ ଦୁଆରରେ ।


କିଏ ଜାଣିଥିଲା,ସେ ଅବୋଧ ବାଳକକୁ

ଯିଏ କି ମୌସୁମୀର ବର୍ଷାରେ ଜଳୁଥିଲା

ଜାଣିପାରିଲାଣି ପ୍ରବାହିତ ଋତୁପରିବର୍ତନର ଚକ୍ରକୁ ।


ଦୁଃଖ ଆଉ ହତାଶର ମରୁଭୂମିରେ

ବାଟ ଚାଲିବା ଶିଖି ନ ଥିଲା

କାରଣ ଭଲପାଇବାର ଦୃଶ୍ୟସବୁ ଡାକି ଆଣୁଥିଲା

ତନ୍ନ ତନ୍ନ କରି ଚିତ୍ର ଧ୍ୱନି ଅନ୍ତରେ ।


ସେଥିପାଇଁ ଦୀର୍ଘଜୀବୀକୁ ଛୋଟକରିବାକୁ ପଡିଲା ଜୀବନ

ଦୀର୍ଘ ଅନୁଲମ୍ବ ଆନନ୍ଦ ଲୁହରେ ।


ଶେଷରେ ସେ ନିଷ୍ପତି ନିଏ

ନିଜର ଅସ୍ତିତ୍ବ ହଜାଇ ଚିରଦିନପାଇଂ

ରହିବାକୁ ତାହାରି ପାଖରେ

ତାହାରି ପବନ ହୋଇ,ସୁର ହୋଇ

ତା ସକାଳ,ତା ଆଲୁଅ,ଅନ୍ଧାର ଭିତରେ

ମାଟି ସଂଗେ ମାଟି ହୋଇ ନଦୀ ସଂଗେ ନଦୀ ହୋଇ

କିନ୍ତୁ କଣ ହୋଇଛି !


ଆକାଶ ଭାଙ୍ଗି ପଡିଛି,କାଚର ଦର୍ପଣ ପରି

ରୋକିପାରିନି ଫୁଲ ବଗିଚାରେ ଗୋଲାପର ମହକକୁ


କିଏ କହିଲା ସେ ଅସହାୟ,ଅଯୋଗ୍ୟ, ଅକ୍ଷମ

କିନ୍ତୁ କିଏ ଦେଖିଛି ପ୍ରସ୍ପୁଟିତ କମଳର ଫମ୍ପା ସରୋବରକୁ

ହଜିଯାଇଥିଲା ତା'ର ପ୍ରୟାସ

ବଞ୍ଚିବାର ଜୀବନ ପରିଚ୍ଛେଦରେ ।


ପ୍ରତି ମୁହୂର୍ତ୍ତରେ ଗଲି ଗଲି ରାସ୍ତା ରାସ୍ତା

ଖୋଜିବୁଲୁଥିଲା ମୃତ୍ୟୁର ବଢ଼ିଲା ବୟସକୁ

କିଏ ଦେବ ତା ଜୀବନ ସଂଗୀତରେ ସାତସୁର ମଧୁଧାରା

ବାଛି ନେଇଥିଲା ବନ୍ଧୁ ବଜାରରେ ପ୍ରେମର ଅତୃପ୍ତ ହୀରା


ଯିଏ କେତେ ସହଜରେ ସମାଧାନ କରିପାରୁଥିଲା

ଗଣିତର ଜଟିଳ ଧାରା

ସେ କେମିତି ଯନ୍ତ୍ରଣା ଅନୁଭବ କଲା

ସ୍ବର୍ଗୀୟ ଜୀବନର ଅମୃତଧାରା ।


ଯେତେ ବାଡେଇ କଚାଡି ହୋଇ ଭୁଇଁରେ ଲୋଟିଲେ ବି

ଯିଏ ଯିବା ଲୋକ ସେ କ'ଣ ତା ଯିବା ବାଟକୁ ଫେରିଆସିବ !

ସମୟ ସରିଗଲେ,

କେହି ଗାଆନ୍ତି ନାହିଁ ଜୀବନ ସଙ୍ଗୀତ !


ସେମିତି ସଙ୍ଗୀତଟିଏ ଥିଲା କି ନ ଥିଲା କେଜାଣି

କାହାର ଗଲା କାହାର ଆଇଲା

ଆଲୋକର ବର୍ଚ୍ଛାଟିଏ ପୋତି ହୋଇଗଲା ଚକ୍ରବାଳରେ


ଯେଉଁମାନଙ୍କୁ ସେ ପ୍ରତ୍ୟେକ କର୍ମର ପରିଣାମ ବୁଝାଉଥିଲା

ସେ କେମିତି ପଡିଗଲା ପରିଣାମର କର୍ମରେ ।

ସେ କେମିତି ରଖିଲା ଗୋଟିଏ ପକ୍ଷରେ ପରିବାର,

ସାଙ୍ଗ,ସାଥି,ପରିଜନଙ୍କୁ

ଏବଂ ପ୍ରେମର ଆର ପକ୍ଷକୁ ବାଛିନେଲା ।


ତା ବିଶାଳ ବ୍ୟକ୍ତିତ୍ୱର ବେଳାଭୂମିରେ

ଖୋଜି ଖୋଜି ଏପରି ଗୋଟିଏ ବି ଶାମୁକା ପାଇଲି ନାହିଁ

ଭାବି ଭାବି ଭାବନା ଜାଲରେ ଛନ୍ଦି ହୋଇଯାଏ

କେମିତି ସାଜିଲା ସେ ଏତେ ବିଶୁଦ୍ଧ ସ୍ୱାର୍ଥପର

ବାଟ ହୁଡା ଚଢେଇଟେ ପରି ଉଡୁଥିଲା

ଶୂନ୍ୟ ଗଗନରେ

କେତେବେଳେ ଉର୍ଦ୍ଧରେ ତ କେତେବେଳେ ନିମ୍ନରେ....!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dhananjaya Bagarty

Similar oriya poem from Romance