ବାରାଙ୍ଗନା ର କୋହ
ବାରାଙ୍ଗନା ର କୋହ
କାହିଁକି ସାଜିଲି ବାରାଙ୍ଗନା ମୁଁ ଯେ
ପଚାରିଛ କେବେ କିଏ
କେତେ ଅସହାୟ ଜୀବନ ମୋହର
ତଥାପି ବଂଚିତେ ହୁଏ
କେକହେ କୂଳଟା କେକହେ ବିଟପି
କେକହେ ଚରିତ୍ର ହୀନା
ସବୁ ସହି ପୁଣି ବଞ୍ଚିବାକୁ ହୁଏ
ଉତ୍ତର ଖୋଜି ପାଏନା
ଯାହା ହାତ ଧରି ସଂସାର କରିଲି
ସେତ ଛାଡି ଚାଲିଗଲା
କାମୁକ ସମାଜ ସବୁଠି ଲାଳସା
ମୋର କିବା ଭୁଲ ଥିଲା
ବଞ୍ଚି ବଞ୍ଚାଇବା ପାଇଁ ମୋ ପିଲାକୁ
କରିଲି ମୁଁ ଯେତେ ଚେଷ୍ଟା
ସବୁଠି ଲାଂଛନା ସବୁଠି ଦୋଛନା
ଚେଷ୍ଟା ହେଲା ଅପଚେଷ୍ଟା
ଯେଉଁଠିକି ଗଲି ନେହୁରା ମୁଁ ହେଲି
କେହି କଲେନି ସାହାର୍ଯ୍ୟ
ଦେହଲୋଭୀ ମାନେ କପଟ କରିଣ
ଭାଙ୍ଗିଦେଲେ ମୋର ଧର୍ଯ୍ୟ
ନିଜଲୋକ ଭାବୁଥିଲି ମୁଁ ଯାହାଙ୍କୁ
ନ ଥିଲେ କେହି ନିଜର
ଏମିତି ଚକ୍ରାନ୍ତ ରଚିଲେ ସେମାନେ
ଘର ହୋଇଗଲା ପର
ସବୁଠାରେ ହେଲା ମୋର ପରାଜୟ
ଛାଡ଼ିଲି ସକଳ ମୋହ
ମୋ ପିଲା ଛୁଆଙ୍କୁ ମଣିଷ କରିବି
ଶେଷେ ବିକିଲି ମୁଁ ଦେହ
କେକରେ ଆଦର କେଭାବେ ନିଜର
କିଛିକ୍ଷଣ ପାଇଁ ମତେ
ନିଜର ଇଚ୍ଛାକୁ ପୂର୍ଣ୍ଣ କରିସାରି
ଚାଲିଯାନ୍ତି ଯେଝା ବାଟେ
ଘୃଣା ଚକ୍ଷୁ ରେ ଦେଖନ୍ତି ସଭିଏଁ
ଅମଙ୍ଗୁଳି ବୋଲି କହି
ଆଖିର ଲୁହ କୁ ଅଭିନୟ ଭାବି
ଦିଅନ୍ତି ତ ଘଉଡ଼ାଇ
ବୟସ ବଢ଼ିଲା ଯୌବନ ହଟିଲା
ନାହିଁ ମୋ ରୂପ ସମ୍ଭାର
ଯାହା ଖୁସି ପାଇଁ ହେଲି ବାରଙ୍ଗନା
ସିଏ ବି କରିଲା ପର
ଦୁଃଖ ନାହିଁ ମୋର ଅନୁଶୋଚନା ବି
କାହିଁକି କରିବି କୁହ
ପାଖରୁ ମତେ ସେ ଦୁରେଇ ଦେଲେବି
ଭଲରେ ରହୁ ମୋ ପୁଅ
ସମାଜ ଆଖିରେ କଳଙ୍କିନି ଟିଏ
ଲାଜେ ମୁଁ ଲୁଚାଏ ମୁହଁ
କାହିଁକି ସାଜିଲି ବାରାଙ୍ଗନା ମୁଁ ଯେ
ପଚାରିଛ କେବେ କୁହ
