ବାପା
ବାପା
ଆଲୋକର ତୁମେ ଘନ ଏକ ଶିଖା
ଜ୍ବଳନ ସେ ଅବିରତ
ତମସା ବିନାଶି କାର୍ଯ୍ୟ କରୁଥାଅ
ନ ନେଇ ଜମା ବିରତି।
ମାଆ ଦିଏ ଜନ୍ମ ଦେଖାଏ ଆଲୋକ
ଗର୍ଭେ ଧରି ଦଶମାସ
ଯତ୍ନ ବହୁ ନିଏ ସଂସ୍କାର ବି ଦିଏ
ମନରେ ବହି ସରସ।
ଦାଣ୍ଡ ଦେଖା କଥା ଯେତେସବୁଦେଖା
ବାପାଙ୍କ କାର୍ଯ୍ୟର ଧାରା
ବାପା ଥିଲେପାଶେ ଭୟଭ୍ରାନ୍ତି କେବେ
ମନରେ ନ ଦିଏ ଧରା।
ସରଗ ସୁଷମା ହୁଏ ଉପଲବ୍ଧ
ବାପା ନାମ ଯଦି ଅଛି
ତାଙ୍କ ପାଦତଳ ସରଗ ମୋହର
ଦରକାର ନାହିଁ କିଛି।
ଦୁଃଖ ଯେବେକେବେ କବାଟ ବାଡାଏ
ମୋର ହୃଦୟର ଦ୍ବାରେ
ବାପା ନାମ ସ୍ମରି ସିନ୍ଧୁ ହୁଏ ପାରି
ମନରେ ଦୃଢତା ଭରେ।
ନିଷ୍ପତ୍ତି ବାପାଙ୍କ ଅତି ଶକ୍ତିଶାଳୀ
ଆଗକୁ ବଢିବା ପାଇଁ
ଜୀବନର ନାବ ଗଡି ଗଡି ଯାଏ
ତାଙ୍କରି ଆଶିଷ ନେଇ।
ସରଗ ସମ୍ପଦ ଅତୁଳ ବୈଭବ
ବାପାଙ୍କ ସମ୍ପତ୍ତି ସବୁ
ତାଙ୍କ ଶ୍ରଦ୍ଧା ବିନା ସବୁ ଶୂନ୍ୟ ଶୂନ୍ୟ
ସମୟରେ ସର୍ବେ ଭାବୁ।
ତାଙ୍କ ନାମ ମୋର ଆଗରେ ଲାଗିଛି
ସନ୍ତାନ ମୁହିଁ ତାଙ୍କର
ଆଗକୁ ଚାଲିବି ତାଙ୍କୁ ଅନୁସରୀ
ସମାଜର ଉପକାର।
ବାପା ବୃଦ୍ଧହେଲେ ସେବା ଯତ୍ନ କଲେ
ପୁତ୍ର ଧର୍ମର ପାଳନ
ପ୍ରକୃତ କରମ ତାହାକୁ କହିବା
ପୁତ୍ର ସିଏ ଅମଳିନ।
ଅଭାବ ଝଡରେ ହେଲେ କବଳିତ
ଧୈର୍ଯ୍ଯର ନାଆକୁ ଧରି
କାମ କରିଯିବା ପଥ ନ ହୁଡିବା
ବାପା ନାମ ସ୍ମରି ସ୍ମରି।
ଭକତି ଭାବନା ସଦା ରଖିଥିବା
ହୃଦୟରେ ଦେବା ସ୍ଥାନ
ଶୟନେ ସ୍ବପନେ ଅବା ଜାଗରଣେ
ଗାଉଥିବା ନିତି ଦିନ।
ବାପା ଥିଲା ପୁଅ ସଭାରେ ହାରେନା
ଅଟେ ଏହା ଆପ୍ତବାକ୍ଯ
ଜୀବନ ଯାତ୍ରାର ଶେଷ ଶିଖା ଯାଏ
ରଖିବା ତାଙ୍କର ଟେକ।
ବଙ୍କୁଲୀ ବାଢିଟି ସାହାରା ଦେଉଛି
କେତେବେଳେ ପୁତ୍ର କାନ୍ଧ
ଝଡିବା ଆଗରୁ ସାହାରାତ ଲୋଡା
ପୁତ୍ର ସ୍ନେହେ ପିତା ଅନ୍ଧ।
ପୁତ୍ର ଧରମ ତୁ ପାଳନ କରିବୁ
ଦିନେ ହେବୁ ବାବୁ ପିତା
ପିଢି ପରେ ପିଢି ଗଡି ଚାଲିଥିବ
ପିତା ପୁତ୍ର ପବିତ୍ରତା।