ବାକ୍ୟ ଦେବୀ ନମସ୍ତୁତେ
ବାକ୍ୟ ଦେବୀ ନମସ୍ତୁତେ
ହଂସ ବାହିନୀ ପ୍ରାଣ ଦାୟିନୀ ଦେବୀ
ଦିବ୍ୟ ଭାବର ପ୍ରତୀକ
ବ୍ରହ୍ମାଙ୍କ ନନ୍ଦିନୀ ବିଷ୍ଣୁଙ୍କ ଘରଣୀ
ସୃଷ୍ଟି ଲଭିଛି ସାର୍ଥକ
ଅଧିଷ୍ଠାତ୍ରୀ ଦେବୀ ମାଆ ବାକ୍ୟ ଦେବୀ
ସର୍ବ ସୃଜନ କ୍ରିୟାର
ଜ୍ଞାନ, ପ୍ରଜ୍ଞା, ବାଣୀ,ଗନ୍ଧର୍ବ କଳାର
ପୁଣି କାବ୍ୟ କବିତାର
ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର କପାଳରୁ
ଯେବେ ହେଲେ ଆବିର୍ଭୁତା
ସୃଷ୍ଟି ସରଞ୍ଚନା ଲଭିଲା ସାର୍ଥକ
ଭାବ ବିନିମୟ ସତ୍ତା
ସରସ୍ଵତୀ ଚତୁର୍ଭୁଜା ପଦ୍ମାସନା
ଶ୍ଵେତ ବସ୍ତ୍ର ପରିଧାନା
ମନ ବୁଦ୍ଧି ବିଚାର ଚେତନା ପ୍ରାପ୍ତ
କଲେ ପୂଜା ଆରାଧନା
ମାଘ ମାସ ଶୁକ୍ଳ ପକ୍ଷର ପଞ୍ଚମୀ
ବସନ୍ତ ପଞ୍ଚମୀ ଭାବେ
ପୁଣି ଶ୍ରୀପଞ୍ଚମୀ ର ମାନ୍ୟତା ସହ
ସରସ୍ଵତୀ ପୂଜା ଭବେ
ଶ୍ରୀପଞ୍ଚମୀ ରେ ହିଁ ସରସ୍ଵତୀ ପୂଜା
ବିଧିରେ ହୁଏ ପାଳନ
ପ୍ରତୀକ ସ୍ବରୂପ ମାନ୍ୟତା ରହିଛି
ବସନ୍ତର ଆଗମନ
ହର୍ଷ ଉଲ୍ଲାସରେ ପୂଜା ଅନୁଷ୍ଠିତ
ବିଦ୍ୟାଳୟ ପ୍ରାଙ୍ଗଣରେ
ବିଦ୍ୟାଦାତ୍ରୀ ମା ବୀଣାପାଣି ଆରାଧ୍ୟା
ବିଦ୍ୟାର୍ଥୀଙ୍କ ହୃଦୟରେ
ଦେବୀ ସରସ୍ଵତୀଙ୍କର ଜନ୍ମଦିନ
ମାଘ ଶୁକ୍ଳ ପଞ୍ଚମୀରେ
ଜ୍ଞାନ ଦେବୀ ସରସ୍ଵତୀ ଆରଧନା
ଭକ୍ତି ନିଷ୍ଠା ସହକାରେ
ଭଗବତୀ ଭାରତୀ ଦେବୀ ନମସ୍ତେ
କଣ୍ଠେ ରହି ହୁଅ ସାହା
ବାକ୍ୟ ଦେବୀ ଭାବେ ତୁମର ମହିମା
ଗୁଣ ଗାଏ ଏ ଦୁନିଆ
ବିଦ୍ୟାଦାତ୍ରୀ ମା ବୀଣାପାଣି ବରଦା
ବୀଣା ବାଦ୍ୟ ରେ ନିପୁଣା
ହଂସ ବାହିନୀ ମା ପୁସ୍ତକ ଧାରିଣୀ
ନିଷ୍କାମ କାମନା-ହୀନା
ବିଦ୍ୟାର୍ଥୀଙ୍କ ବନ୍ଦନୀୟା ଓ ଆରାଧ୍ୟା
ଜ୍ଞାନ ବାକ୍ୟ ପ୍ରଦାୟିନି
ବ୍ରହ୍ମାଙ୍କ ନନ୍ଦିନୀ ତ୍ରିଲୋକ ବାସିନୀ
ଦେବୀ ଜଗତ ଜନନୀ
ଶ୍ଵେତ ପଦ୍ମାସନୀ ଚିର ସନ୍ୟାସିନି
ଦେବୀ ରୂପେ ଶୁକ୍ଳାମ୍ୱରୀ
ଶ୍ୟାମଳାଙ୍ଗୀ ଚତୁର୍ଭୁଜା ମହାଜ୍ଞାନୀ
ସରସ୍ଵତୀ କାଦମ୍ବରୀ
ମରାଳ ବାସିନୀ ସୌମ୍ୟା ସ୍ୱରୂପିଣୀ
ବୀଣାପାଣି ଭଗବତୀ
ହଂସ ବିହରଣୀ ଶାରଦା ଓ ବାଣୀ
ଦେବୀ ଶ୍ରେଷ୍ଠ ଦୟାବତୀ
ନିବେଦନ ମାଆ ତୁମ ପାଦ ତଳେ
ଅଜ୍ଞ ଜନେ ଦୟା କର
ବାକ୍ୟ ଉଚ୍ଚାରଣ ପଠନ ସମୟେ
କଣ୍ଠ ଦେଶେ ବିଜେ କର
ଶୁଦ୍ଧ ଉଚ୍ଚାରଣ ସହିତ ଲିଖନ
ତୁମ ନିର୍ଦ୍ଦେଶରେ ହେଉ
କାଳିଦାସ ପ୍ରତି ଦୟା ଦୃଷ୍ଟି ସମ
ଅଜ୍ଞାନତା ଦୂରେ ଯାଉ
ଦେବୀ ସରସ୍ଵତୀ ଘେନ ଏ ବିନତି
ଦିଅ ମା କରୁଣା ଢାଳି
ଅଜ୍ଞାନ ତିମିର ନ ରହୁ କାହାର
ଏହି ଭିକ୍ଷା ଏହି ଅଳି
ବୀଣାପାଣି ଆଉ କାଳିଦାସ କଥା
ପ୍ରାୟ ଅତି ଜଣାଶୁଣା
ମା ବୀଣାପାଣିଙ୍କ କୃପା ପ୍ରାପ୍ତ ପରେ
କାବ୍ୟ କରିଲେ ରଚନା
ବାକ୍ୟ ଦେବୀ ପୁଣି ଜ୍ଞାନଦାତ୍ରୀ ରୂପେ
ନମସ୍ୟ ମା ବୀଣାପାଣି
ପଣ୍ଡିତ କଣ୍ଠରେ ରହି ସାହା ହେବା
କିଏ ବା ନ ଅଛି ଜାଣି!
ଭକ୍ତି ଭରେ କରୁଅଛି ନିବେଦନ
ଆଜିର ସଭ୍ୟ ସମାଜ
ମାଆ ବୀଣାପାଣି ହୃଦରେ ସୁମରି
ଶୁଦ୍ଧ ହେଉ ଅନିବାର୍ଯ୍ୟ
ବାଣୀ କୃପା ବଳେ କାବ୍ୟ ଓ କବିତା
କାଳିଦାସ କୃତ ମାତ୍ର
ଶୁଦ୍ଧତା ଭରି ଅଛି ପଙ୍କ୍ତି ପଙ୍କ୍ତିରେ
ପଠନେ ମନ ପବିତ୍ର
ସ୍ରଷ୍ଟା ଓ ବକ୍ତାଙ୍କ କଣ୍ଠ ଦେଶେ ରହି
ସାହା ହୁଅ ବୀଣାପାଣି
ଭକ୍ତ ହୃଦେ ଆସ ବାଣୀ ବୀଣାପାଣି
କେହି ନ ରହୁ ଅଜ୍ଞାନୀ
କାବ୍ୟ ପଠନ ଲିଖନ ବେଳେ ହୃଦେ
ଧ୍ୟାୟି ବାଣୀ ବୀଣାପାଣି
ଝୁଣ୍ଟି ଯାଏ କିମ୍ପା ଏ ଯୁଗର ଜ୍ଞାନୀ
ବୁଝି ବି ବୁଝି ହେଉନି
କୃପା କରି ଆସ ବାଣୀ ବୀଣାପାଣି
କଣ୍ଠେ ରହି ହୁଅ ସାହା
ବାକ୍ୟ ଦେବୀ ନାମର ମହିମା ରହୁ
ଅଜ୍ଞାନୀ ଡାକୁଛି ମାଆ
