ଅସମ୍ଭାଳ କଳିକାଳ
ଅସମ୍ଭାଳ କଳିକାଳ
ଏତ ଅସମ୍ଭାଳ ଘୋର କାଳିକାଳ
କିଏ ଗୁରୁ କିଏ ଶିଷ୍ୟ
ଲାଗିଗଲେ ଚେର ଦେଖି କାଳ ବେଳ
ବିଶ୍ୱାସରେ ଭରେ ଵିଷ ।
ଗୋଡ଼ ହାତ ଧରି ତୋଷାମଦ କରି
ସ୍ୱାର୍ଥ ହୋଇଗଲେ ସିଦ୍ଧ
ଭୁଲି ଉପକାର କୃତଘ୍ନ ପ୍ରକାର
କରିଥାଏ ଶଲ୍ୟ ବିଦ୍ଧ ।
ଉପକାରିତାର ପ୍ରତି ଉପକାର
କରିବାତ ଦୂରେ ଥାଉ
ଭୁଲି ତା ମିହନ୍ତ ଉଭା ଶତ୍ରୁ ବତ
ନିର୍ମମେ ସାଧଇ ଦାଉ ।
ଗଛ ଲଗାଇବୁ ଧରମ କରିବୁ
କରୁନାହିଁ ବାବୁ ମନା
ମଣିଷ ଗଛ ତ ଲଗାଇଲେ ସତ୍ୟ
କାଟିବ ତୋ ଦାନା କନା ।
ବହୁ ମୁଖାଧାରୀ କପଟ ଆଚାରୀ
ସହଜେ ନୁହନ୍ତି ଚିହ୍ନା
ଅତିଭକ୍ତି ପଣ ଚୋରର ଲକ୍ଷଣ
ଅନୁଭବୀ ଜାଣେ ସିନା ।
ଚାରି ପୁରୁଷାର୍ଥ ଉପରେ ବ୍ୟାଘାତ
ଅସତ୍ୟର ହୁଏ ଜୟ
ନିର୍ଗୁଣ ଅଜ୍ଞାନ ବୋଲାନ୍ତି ପ୍ରଜ୍ଞାନ
ବିଦ୍ୱାନର ପରାଜୟ ।
ଧୂର୍ତ୍ତ ଅପଗଣ୍ଡ ଶିରେ ପାଟଦଣ୍ଡ
ଯୋଗ୍ୟ ଜନ ଉପେକ୍ଷିତ
ସଇତାନ ଏଥି ବେଦ ପଢୁଛନ୍ତି
ପଣ୍ଡିତଗଣ ଲାଂଛିତ ।
ଆପେ ଆପଣାର ପ୍ରଶସ୍ତି ପ୍ରଚାର
କରୁଛନ୍ତି ଭଣ୍ଡ ପଣେ
ଗୁରୁ କାନ୍ଧେ ଶିଷ୍ୟ ଉଭାହୋଇ ଶୀର୍ଷ
ଆସନକୁ ଶ୍ରେୟ ମଣେ ।
ଜ୍ଞାନ ରାଜ୍ୟେ ଘନ- ଘନ ବିସ୍ଫୋରଣ
ସରବେ ତ ସର୍ବଜଣା
ଗର୍ବ ଅହଂକାର ଗ୍ରାସିଛି ସଂସାର
ଚକ୍ଷୁସ୍ମାନ ଅନ୍ଧ କଣା ।
ପାପର ପ୍ରାବଲ୍ୟ ମିଥ୍ୟା ହଳାହଳ
ସତ୍ୟ ତ୍ରସ୍ଥ ହୀନବଳ
ଦୁର୍ନୀତି ରାକ୍ଷସ ଗ୍ରାସେ ଦେଶ ଦଶ
ଧର୍ମ ଧସେ ରସାତଳ ।
ରୁଷ ୟୂକ୍ରେନ ଯୁଦ୍ଧକଥା ଘେନ
ପ୍ରଳୟର ଆବାହନ
ମାଳିକା ବଚନ ଅଚ୍ୟୁତ କଥନ
ମିଥ୍ୟା ନୁହେଁ କଦାଚନ ।
ଇଛାମୟ ହରି ଏହି ଭଵ ତରୀ
କେଉଁ ଲକ୍ଷ୍ୟ ପଥେ ବାହ
ଚରମ ସମୟ ଏ କି ଦୟାମୟ
ଚିନ୍ତି ହୃଦ ହୁଏ ଦାହ ।