ପରିବର୍ତ୍ତନ
ପରିବର୍ତ୍ତନ
ବଦଳିବାର ଏକ ନିଚ୍ଛକ ଅଭିବ୍ୟକ୍ତି
ସମୟକୁ ଜୀବନ୍ତ ସାବ୍ଯସ୍ତ କରିବାର
ଏକ ପ୍ରୟାସ ନିରବଛିନ୍ନ
ଅବା ଆବର୍ତ୍ତନର ପରିଧିରେ ଶୀର୍ଷତାର
ଏକ ବୃଥା ପ୍ରହସନ।
କେତେବେଳେ ଜୁଆରରେ ଏକ କୂଳରୁ
ଆରକୂଳକୁ ବିସ୍ଥାପନ
ଅବା ପ୍ରଳୟଙ୍କାରୀ ବନ୍ଯାରେ
ଭିଟାମାଟି ଠାରୁ ନିର୍ଯ୍ୟାସନ।
ମୁଣ୍ଡ ଝାଳ ତୁଣ୍ଡେ ମାରି କଣ୍ଟକିତ ଦୁର୍ଗମ ପଥକୁ
ସଫଳତା ର ସୋପାନରେ ରୂପାନ୍ତରଣ
ଅବା ଖୋଷାମତି କରି ପାରିତୋଷିକରୁ
ରାତାରାତି ରାଜେନ୍ଦ୍ରାସୀନ।
ଅବଚେତନରୁ ଚେତନାର ସୂକ୍ଷ୍ମ ବିକାଶ
ଚଣ୍ଡାଶୋକରୁ ଧର୍ମାଶୋକ
ଅବା ପାଶବିକ ପ୍ରବୃତ୍ତିରେ ମତୁଆଲା
କ୍ଷମତାସୀନ ହୋଇ ଶୋଷଣର ଜୟଗାନ।
ଗୋଧୂଳି ର ଦୂର ଦିଗନ୍ତ ରେ ଆଖିପତାତଳେ
ହାଇମାରୁଥିବା କ୍ଲାନ୍ତ କାକୁସ୍ଥ ଜୀବନ
ଅବା ସନ୍ନିକଟ ଦିଗବଳୟ ରେ ସ୍ବର୍ଣ୍ଣାଭସୂର୍ଯ୍ୟୋଦୟ
ସ୍ନେହାଁଲ୍ହାଦିତ ଜୀବନର ମାଦକୀୟ ଯୌବନ।
ସୀମିତ କେବଳ କ୍ୟାଲେଣ୍ଡରରେ ପୃଷ୍ଠା ଉନ୍ମୋଚନ
ଡିସେମ୍ବର ପରେ ନବ ବର୍ଷର ଉଚ୍ଚାଟ ଅଭିନନ୍ଦନ
ଅବା ମରା ରୁ ରାମ, ଉଇ ହୁଙ୍କାରୁ ବାଲ୍ମୀକି
ଦାନବତ୍ବରୁ ଦେବ ତୁଲ୍ଯ ପରିମାର୍ଜନ ।
