STORYMIRROR

Manas Nayak

Inspirational

4  

Manas Nayak

Inspirational

ଜୀବନ ସୋପାନ

ଜୀବନ ସୋପାନ

1 min
158

କେଇ ଦଣ୍ଡ କାଟିବାକୁ ପିଣ୍ଡରେ ଏ ଜୀବନ

ଛକି ଶୂନ ଖେଳରୁ ପୁଣି ବାଇଶି ସୋପାନ

ରାଗ ଅଭିମାନ ଲାଭ କ୍ଷତି ର ପରିସଂଖ୍ୟାନ

ଗଲାବେଳେ ଫେଡିହୁଏ ପୁଣି ଏକ ଆବର୍ତ୍ତନ। (୧) 


ପ୍ରେମ ଆତ୍ମୀୟତାରେ ଆଣ୍ଠେଇ ଶୁଭାରମ୍ଭହୁଏ ଅଭିଯାନ

ଶୈଶବରୁ କୈଶର ପୁଣି ପ୍ରତୀକ୍ଷିତ ମାଦକୀୟ ଯୌବନ

ଅଦମ୍ୟ ସାମର୍ଥ୍ଯ ସହ ଚେତନା କାମନାର ହୁଏ ମିଳନ

ପ୍ରାପ୍ତି ସମ୍ଭୋଗ ପୀୟୂଷରେ ମର୍ତ୍ତ୍ୟ ହୁଏ ସରଗ ସମାନ।(୨) 


ଅଢେଇ ଦିନ ହିଁ ସାନ୍ନିଧ୍ୟ ସମ୍ପର୍କର ଯୌବନ କଥନ

କାଳର ଇଙ୍ଗିତରେ ହୁଏ ଅକସ୍ମାତ୍ ବାର୍ଦ୍ଧକ୍ୟର ଆଗମନ

ତନ୍ଦ୍ରା ଆଚ୍ଛାଦିତ ଅସମ୍ପୂର୍ଣ୍ଣତାରେ ଭୟଭୀତ ନୟନ

ସର୍ବଜ୍ଞ ବୟବୃଦ୍ଧ ଝୁରିହୁଏ ସଂସାରର ମାୟା ବନ୍ଧନ। (୩) 


କାଳ ଅବା ଅକାଳରେ ଦିନେ ସରିବ ଆୟୂଷ ସୋପାନ

ଜୀବନ ଦୀପ ଲିଭିଲେ ଧୂଆଁ ସବୁ ଯଶ ମାନ ଅପମାନ 

ପାଉଁଶ ପାଲଟିବେ ସର୍ବ ବେଦନା ଯାତନା ଚିନ୍ତନ ମନନ

ନଶ୍ୱର  ଶରୀର ହେବ ଶେଷେ ମହାଶୂନ୍ୟେ ବିଲୀନ। (୪) 


ବିନା ମଣିଷ ପଣିଆରେ କି ଅର୍ଥ ଜୀଇଁ ଏ ଜୀବନ

ଥମିଲେ ପବନ ତୁହି ଅଫେରା ରାମନାମ ଭଜନ

ବେଳଥାଉ ହେଜିଲେ ତୁ ପାଇବୁ ଦିବ୍ୟ ଚୈତନ୍ୟ

ପଞ୍ଚଭୂତେ ଲୀନ ହେଉ ମିଳିବ ତ ସେ ବ୍ରହ୍ମ ଦର୍ଶନ। (୫) 


ମଣି ତୁହି ସବୁ ତୁଚ୍ଛ ବିଭୂପ୍ରେମେ କରରେ ନୟନ ଅଞ୍ଜନ

ମାୟା ମୋହ କ୍ଷୀଣ ହେବ ଶୁଣିଲେ ସେ ଓଁକାର ଗୁଞ୍ଜନ

ଉଛୁର ହେଲେହେଁ ଅବିଳମ୍ବେ କର ତୁହି ଚେତନା ମନ୍ଥନ

ନିର୍ବାଣ ବା ପୁନର୍ଜନ୍ମ ପୂର୍ବ ନିର୍ଣ୍ଣିତ ତୋର କର୍ମ ବିଧାନ। (୬) 


 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational