ଅସହାୟ ବଳୟ
ଅସହାୟ ବଳୟ
ଶ୍ରାବଣର ନିର୍ଝର ଗୋଲାପକୁ
ପ୍ରେମ କରେନି କେବଳ
ମୁଁ ଭଲପାଏ ସୂର୍ଯ୍ୟସ୍ନାତ ହୋଇ
ଫୁଟିଥିବା ସୂର୍ଯ୍ୟମୁଖୀକୁ ।
ଶରତର ଶିଶିର ସ୍ନାତ ବିନ୍ଦୁ
କେବେ ଓଦା କରି ପାରେନି ମୋତେ
ମୁଁ ଭିଜେ ନିଜ ଲୁହରେ
ଶତ ଶତ କୋମଳମତିଙ୍କ ଯନ୍ତ୍ରଣାରେ ।
ବସନ୍ତର ହିଲ୍ଲୋଳରେ କେବେ ଅନୁଭବ କରି ପାରେନି ପ୍ରେମକୁ
ପ୍ରେମ ମୋର ସେତେବେଳେ ଉଦୀୟମାନ ହୁଏ
ଜାତିପ୍ରଥାକୁ ଭେଦକରି ପାରେନା
ଅମାବାସ୍ୟାର ଏପରି କୌଣସି ରାତି ଆସେନା ମଧ୍ୟ
ଯାହା ମୋ ମନତଳୁ ବିରହ ବେଦନାରେ ଟାଣି ଆଣିବ ।
ମୁଁ ସେତେବେଳେ ଜର୍ଜରିତ ହେଉଥାଏ
ଯେତେବେଳେ ମାଁ ତାର ଗଣ୍ଠିଧନକୁ ବିକ୍ରିକରେ
ମୋ ହୃଦୟରେ ପୁଣି ଶିଥିଳତା ଦେଖାଦିଏ
ଯେତେବେଳେ କୌଣସି ବେକାରୀ ଯୁବକ ପେଟରେ ଲାତ
ଓ ପିଠିରେ ବେତ ପଡେ ।
ସେ ଦାଦନ ଭାବରେ ଗଣା ନ ଥାଏ
ହଜାର ହଜାର ଶିଶୁ କନ୍ୟାଙ୍କ
ଚିତ୍କାର କ୍ରନ୍ଦନ
ମୋ ସମସ୍ତ ଶରୀର ହୋଇଯାଏ ବିହ୍ୱଳ
ସେତେବେଳେ ମୁଁ ପାଲିଟିଯାଏ ମହାଦେବ ।
ରକ୍ଷା ନିମନ୍ତେ ସେ ପାଖେ ଡାକନ୍ତି
ମୋତେ ଶହ ଶହ ଲୋକ
କିନ୍ତୁ, ମୁ କାନ୍ଦିଉଠେ ସେତେବେଳେ,
ଯେତେବେଳେ ଜଣେ ସ୍ୱାମୀ ତା' ସ୍ତ୍ରୀକୁ ବାଧ୍ୟ କରେ
କନ୍ୟାଭ୍ରୁଣ ହତ୍ୟା ପାଇଁ ।